ବୀମା ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

insurance officer attacked by miscreants in niali

ନିଆଳି: ଲିବର୍ଟି ଜେନେରାଲ ଇନସୁରାନ୍ସର କ୍ଲେମ୍ ଅଫିସର ମାନସ ରଂଜନ ସାହୁଙ୍କୁ କିଛି ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣା ନେଇ ନିଆଳି ଥାନାରେ ଏକ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖରେ ୨୭ ବର୍ଷୀୟ ଯୁବକ ମାନସ ସ୍ଥାନୀୟ ହିନ୍ଦୁସ୍ତାନ ହୋଣ୍ଡା ସୋ’ରୁମକୁ ଅଫିସ କାମ ପାଇଁ ଯାଇଥିଲେ ।

ସୋ’ରୁମ୍ ରୁ ଫେରୁଥିବା ବେଳେ ହଠାତ୍ ଦଶ ରୁ ବାର ଯୁବକ ତାଙ୍କୁ ରାସ୍ତାରେ ଅଟକାଇଥିଲେ । ଜନୈକ ଅର୍ଜୁନ ସାହୁଙ୍କ ଗାଡ଼ିର ବୀମା କାହିଁକି ସେଟଲ ହୋଇନି ବୋଲି ଅଭିଯୋଗ କରି ସେମାନେ ମାନସଙ୍କୁ ଭୀଷଣ ମାଡ଼ ମାରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ । ମାନସଙ୍କ ପାଖରେ ଥିବା ନଗଦ ୧୦ ହଜାର ୩୦୦ ଟଙ୍କା ମଧ୍ୟ ସେମାନେ ତାଙ୍କଠାରୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି ।

ମାନସଙ୍କୁ ଅଟକାଇ ମାଡ଼ ମରାଯାଇଥିବା ନେଇ ଖବର ପାଇବା ପରେ ଲିବର୍ଟି ଜେନେରାଲ ଇନସୁରାନ୍ସ ପକ୍ଷରୁ ଅନ୍ୟ ଦୁଇ ଜଣ ଅଫିସର ଆସି ମାନସଙ୍କୁ ଉଦ୍ଧାର କରିଥିଲେ । ମାନସ ଅଫିସ କାମରେ ଆସିଥିବା ବେଳେ ଏତେ ଲୋକ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିବାରୁ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି ।

Leave a Reply