ଧାଡ଼ି ପହଣ୍ଡି ପରେ ରଥରେ ବିରାଜମାନା ଶ୍ରୀବିଗ୍ରହ, ଛେରାପହଁରା ନୀତି ପରେ ଆରମ୍ଭ ହେବ ରଥ ଟଣା

ପୁରୀ: ଟାହିଆ ହଲାଇ ଧାଡ଼ି ପହଣ୍ଡିରେ ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂରତି । ଜନ୍ମ ବେଦୀରୁ ରତ୍ନ ବେଦୀକୁ ଲେଉଟାଣି ପାଇଁ ତିନି ରଥରେ ବିରାଜମାନ ଏବେ ଶ୍ରୀବିଗ୍ରହ । ଜଣଙ୍କ ପରେ ଜଣେ ଜନ୍ମ ବେଦୀରୁ ଓହ୍ଲାଇ ଆସିଥିଲେ ରଥ ଆଡ଼କୁ । ରଥରେ ଚଢ଼ିଲା ବେଳକୁ ଆଉ ମଥାରେ ନଥିଲା ନହ ନହକା ଟାହିଆ । ଖାଲି ଖାଲି ଦିଶୁଥିଲା ମଥା, କାରଣ ସେବାୟତ ମାନେ ଛିଣ୍ଡାଇ ନେଇଥିଲେ ମହାପ୍ରଭୁଙ୍କ ଟାହିଆ । ମହାପ୍ରଭୁ ନିଳାଦ୍ରୀନାଥ ଜଗନ୍ନାଥଙ୍କ ପହଣ୍ଡି ସମୟରେ ଏମିତି ଲାଗୁଥିଲା ଯେମିତି ସେ ଢ଼େଗା ଢ଼େଗା ଆଖିରେ ତା ଭକ୍ତଙ୍କୁ ଖୋଜୁଛି  ।

ଆଉ ଏପଟେ ତା ଆଖିକୁ ଦେଖି ଭକ୍ତଙ୍କ ଆଖରିୁ ଝରି ପଡ଼ୁଥିବ ବୁନ୍ଦା ବୁନ୍ଦା ଅଶ୍ରୁ । ମନେ ମନେ ଭକ୍ତ କହୁଥିବ ହେ କାଳିଆ ସାଆନ୍ତ ଏ କରୋନାର କଳା ବାଦଲକୁ ହଟେଇଦେ । ମୋତେ ତୋ ଦର୍ଶନ ଦେ, ଆଉ କେତେ ଦିନ ତୋଠୁ ବା ଦୂରେଇ ରହିବି । ମନ ଡ଼ାକିଲାଣି ତୋ ଆଖିରେ ଆଖି ମିଶାଇ ତତେ ଟିକେ ଦେଖିବାକୁ । ବାହାର ପବନ ଆଉ ଭଲ ଲାଗୁନି ମନ ହେଲାଣି ତୋ ନୀଳକନ୍ଦରର ସୁଲୁସୁଲିଆ ପବନ ଟିକେ ଖାଇବାକୁ । ଏପରି କିଛି ହେଉଥିବ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଭକ୍ତର ମନ ।

୯ ଦିନର ଲିଳାଖେଳା ସାରି ଲେଉଟି ଯିବେ ନୀଳକନ୍ଦରକୁ ମହାପ୍ରଭୁ । ଗୁଣ୍ଡିଚା ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ସରିବା ପରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ମନ୍ଦିର ଭିତରୁ ବାହାରକୁ ଛୁଟି ଆସିଥିଲା ବଡ଼ ଠାକୁର ବଳଭଦ୍ର । ବଳଭଦ୍ରଙ୍କୁ ରଥାରୂଢ଼ କରିବା ପରେ ଆରମ୍ଭ ହୋଇଥିଲା ମା ସୁଭଦ୍ରାଙ୍କର ପହଣ୍ଡି । ଶେଷରେ ଟାହିଆ ହଲାଇ ଆସିଛିଲା ଚକା ଆଖିଆ । ଦୋହଲି ଦୋହଲି ଚଢ଼ିଥିଲା ରଥ ଉପରେ ।

ତେବେ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ଏବେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧା ମୂରତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ଏହା ପରେ ରଥାରୁଢ ଶ୍ରୀବିଗ୍ରହଙ୍କ ଆରମ୍ଭ ହେବ ଛେରାପହଁରା ନୀତି ।

Leave a Reply