Hathras Case: ମିଡିଆକୁ କାହିଁକି ଡରୁଥିଲେ ଯୋଗୀ ସରକାର, କଣ ଲୁଚାଇବାକୁ ଚାହୁଁଥିଲେ ?

hathras-case-journalist-allowed-to-meet-victim-family

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାର ୫ ଦିନ ପରେ ଯୋଗୀ ସରକାରଙ୍କ ୟୁ ଟର୍ଣ୍ଣ । ତଦନ୍ତ ଆଳରେ ପୀଡ଼ିତାଙ୍କ ମୃତ୍ୟୁ ପରଠାରୁ ହାଥରସ ଗାଁକୁ ପ୍ରଶାସନ ମିଡିଆ, ସମାଜସେବୀ କାହାକୁ ବି ଗାଁକୁ ଛାଡ଼ୁ ନଥିଲା । ପୀଡ଼ିତାଙ୍କ ପରିବାର ସହ ମିଶିବାକୁ ଦେଉନଥିଲା । ପ୍ରାୟ ୫ ଦିନ ପରେ ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଗଣମାଧ୍ୟମକୁ ଛାଡ଼ିଛି । ଅନେକ ଗଣମାଧ୍ୟମ ହାଥରସ ପହଞ୍ଚି ପୀଡିତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି । ପୀଡିତାଙ୍କ ଭାଉଜ ମିଡିଆ ଆଗରେ ଦେଇଥିବା ବୟାନ ଅନୁସାରେ, ତାଙ୍କ ପରିବାରକୁ ନଜର ବନ୍ଦୀ କରି ରଖାଯାଇଥିଲା ।

ଏପରିକି ଘରୁ ବାହାରିବା କିମ୍ବା ଶୌଚ ହେବାକୁ ମଧ୍ୟ କଟକଣା ଜାରି କରାଯାଇଥିଲା । କାହା ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ପୋଲିସ ମାରପିଟ କରୁଥିବା ମଧ୍ୟ ତାଙ୍କ ଭାଉଜ ଅଭିଯୋଗ କରିଛନ୍ତି । ଏପରିକି ଡିଏମ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିବା ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଝିଅ ଯଦି କରୋନାରେ ମରିଥାନ୍ତା ତେବେ କ୍ଷତିପୂରଣ ପାଇଥାନ୍ତ କି ବୋଲି ଡିଏମ ତାଙ୍କୁ ପ୍ରଶ୍ନ କରିଥିବା ପରିବାର ଲୋକେ କହିଛନ୍ତି ।

ଗୁରୁବାର ପୀଡିତାଙ୍କ ପରିବାର ସହ ଭେଟି ପଚରାଉଚରା କରିଛନ୍ତି ଏସଆଇଟି ଟିମ୍ । ଘଟଣାର ଏସଆଇଟି ତଦନ୍ତ ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଶେଷ ମୁହୂର୍ତ୍ତରେ ଝିଅର ମୁହଁକୁ ମଧ୍ୟ ପୋଲିସ୍ ଦେଖିବାକୁ ସୁଯୋଗ ଦେଇ ନଥିବା ପୀଡିତାଙ୍କ ମାଆ କାନ୍ଦିକାନ୍ଦି ମିଡିଆ ଆଗରେ ବର୍ଣ୍ଣନା କରିଛନ୍ତି । ରାତିର ଅନ୍ଧକାରରେ ପରିବାର ଲୋକଙ୍କୁ ତାଲା ପକାଇ ଶବକୁ ପୋଡି ଦେଇଥିଲା ପୋଲିସ୍ । ତେବେ ସେ ତାଙ୍କ ଝିଅ ଥିଲା କି ଅନ୍ୟ କାହାର ଶବ, ସେକଥା ଜାଣି ନଥିବା କହିଛନ୍ତି ।

ତାଙ୍କ ପରିବାର ନାର୍କୋ ପରୀକ୍ଷା କରିବେ ନାହିଁ । କାରଣ ତଦନ୍ତ ପ୍ରକ୍ରିୟା ଉପରେ ତାଙ୍କର ଭରସା ନଥିବା କହିଛନ୍ତି ପୀଡିତାଙ୍କ ଭାଉଜ । ଜଣେ ମହିଳାଙ୍କ ବୀଭତ୍ସ ହତ୍ୟା କରାଯାଇଛି । ଏହାକୁ ନେଇ ରାଜନୀତି କରାଯାଉଛି । ତେଣୁ ତାଙ୍କୁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ସେପେଟେ ଘଟଣାର ୪ ଦିନ ପରେ ଯୋଗୀ ସରକାର ଆକ୍ସନ ନେଇଛନ୍ତି । ଏସପି, ଡିଏସପିଙ୍କ ସମେତ ୭ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

Leave a Reply