ଫେରିଲା ତୈଳ ରାଜନୀତି, କଂଗ୍ରେସ-ବିଜେପି ମୁହାଁମୁହିଁ; ଧର୍ମେନ୍ଦ୍ରଙ୍କୁ କଳାପତାକା ପ୍ରଦର୍ଶନ

1 min read
Dharmendra Pradhan

ଭୁବନେଶ୍ୱର: ଫେରିଲା ତୈଳ ରାଜନୀତି । କଂଗ୍ରେସ-ବିଜେପି ମୁହାଁମୁହିଁ । ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ଦେଖାଇଲା କଂଗ୍ରେସ । ବିଜେଡି କହିଲା ଲୋକଙ୍କ ସମସ୍ୟା ବଢ଼ିଲେ ବିରୋଧ ହେବ । ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଛି ରାଜ୍ୟ ଯୁବ କଂଗ୍ରେସ । ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କ ଗାଡ଼ି ଆଗକୁ ହଠାତ୍‌ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଆସି କଳାପତାକା ଦେଖାଇ ଧର୍ମେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିରୋଧ କରିଥିଲା କଂଗ୍ରେସ । ଆଗକୁ ସବୁଆଡ଼େ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ କହିଛି ।

ସେପଟେ କେନ୍ଦ୍ର ପାଇଁ ରାଜ୍ୟ ବିଜେପି ଓକିଲାତି କରିଛି । ପେଟ୍ରୋଲ ଦର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି କହିଛି ବିଜେପି । ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢୁଥିବାରୁ ଭାରତରେ ବଢୁଛି । ଧର୍ମେନ୍ଦ୍ରଙ୍କୁ ବିରୋଧ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ଧର୍ମେନ୍ଦ୍ରଙ୍କୁ ବିରୋଧ ହାସ୍ୟାସ୍ପଦ ବୋଲି ବିଜେପି କହିଛି  ।

ଏହା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୭୩ ବର୍ଷର ରେକର୍ଡ ଭାଙ୍ଗିଛି । ଏହା ବିରୋଧରେ ପୂର୍ବରୁ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ କଂଗ୍ରେସ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ କଳାପତାକା ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ରାଜ୍ୟବ୍ୟାପୀ ଧର୍ମେନ୍ଦ୍ରଙ୍କୁ ବିରୋଧ ହେବ ବୋଲି କଂଗ୍ରେସ କହିଥିବାରୁ ଏହାକୁ କିପରି ବିଜେପି କାଉଣ୍ଟର କରିବ ତାହା ଦେଖିବାର କଥା ।

Leave a Reply