RSP ଗ୍ୟାସ୍‌ ଲିକ୍‌ ଘଟଣାରେ NGTର ନୋଟିସ୍, ପରିବେଶ କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାକୁ ଏନ୍‌ଜିଟିର ନୋଟିସ୍ । ଗ୍ୟାସ ଲିକ୍‌ ହେବା ପରେ ପରିବେଶର କ’ଣ କ୍ଷତି ହୋଇଛି, ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଏପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ତଦନ୍ତ ଶେଷ କରି ସେଲ୍‌ ଅଧ୍ୟକ୍ଷଙ୍କୁ ଦିଆଯାଇଛି ରିପୋର୍ଟ ।

ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ଗ୍ୟାସ୍ ଲିକ୍ ପରେ ଚିହିଁକି ଉଠିଛି ନ୍ୟାସନାଲ ଗ୍ରୀନ ଟ୍ରୀବ୍ୟୁନାଲ । ଏନେଇ ରାଉରକେଲା ଇସ୍ପାତ କାରଖାନାକୁ ନୋଟିସ ଜାରି କରାଯାଇଛି । ଗ୍ୟାସ୍‌ ଲିକ୍‌ ପରେ ପରିବେଶର କଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଆସନ୍ତା ଫେବୃୟାରୀ ୧୧ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଷରୁ ତଦନ୍ତ ଶେଷ ହୋଇଛି । ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମରାମତି କରିବା ପାଇଁ ଯାଇଥିବା କର୍ମଚାରୀ ଗ୍ୟାସ୍‌ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡିଛି । ସେପଟେ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଚାରୋଟି ବିଭାଗର ମୁଖ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଶ୍ରମିକ ନେତା ଦାବି କରିଛନ୍ତି ।

ଗ୍ୟାସ୍‌ ଲିକ୍‌ ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ପ୍ରଦୂଷଣ ବୋର୍ଡର ସେଲ୍ ଅଧ୍ୟକ୍ଷଙ୍କୁ ଦିଆଯାଇଛି । ଖୁବଶୀଘ୍ର ଜଣାପଡିବ ଘଟଣାର କିଏ ଦୋଷୀ । ଏପଟେ କାରଖାନାରୁ ନିର୍ଗତ ହେଉଥିବା ଦୁଷିତ ଜଳ ବ୍ରାହ୍ମଣୀ ନଦୀକୁ ନଛାଡିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଷରୁ ନିର୍ଦେଶ ଦିଆଯାଇଛି । ଗତ ୬ ତାରିଖରେ କାରଖାନାରେ ଆଠ ଫୁଟ୍‌ ଉଚ୍ଚତାରେ ଥିବା ପାଇପ୍ ମରାମତି ହେଉଥିବା ବେଳେ କାର୍ବନ ମନୋଅକ୍ସାଇଡ୍‌ ଗ୍ୟାସ୍‌ ଲିକ୍‌ ହୋଇ ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

Leave a Reply