ବ୍ୟାନ୍ ପରେ ଆସିଲା TikTokର ପ୍ରତିକ୍ରିୟା,କହିଲା ଚୀନକୁ ଦିଆ ଯାଇନାହିଁ ଭାରତୀୟ ୟୁଜର୍ସଙ୍କ ସୂଚନା

1 min read

ନୂଆଦିଲ୍ଲୀ. ଭାରତ ସରକାରଙ୍କ ଦ୍ୱାରା ଟିକଟକକୁ ପ୍ରତିବନ୍ଧିତ କରାଯିବା ପରେ ପ୍ରଥମ ଥର ପାଇଁ କଂପାନୀ ତରଫରୁ ପ୍ରତିକ୍ରିୟା ଦିଆଯାଇଛି । କଂପାନୀ କହିଛି ଯେ, ଆମେ କୌଣସି ଭାରତୀୟ ୟୁଜରଙ୍କ ତଥ୍ୟ କୌଣସି ବିଦେଶୀ ସରକାର କିମ୍ବା ଚୀନ ସରକାରଙ୍କୁ ଦେଇନାହୁଁ । ଟିକଟକ୍ ଇଣ୍ଡିଆ ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ, ଆମକୁ ନିଜ ସ୍ପଷ୍ଟୀକରଣ ରଖିବାକୁ ସମ୍ବନ୍ଧିତ ସରକାରୀ ବିଭାଗ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ଭାରତ ସରକାର ଟିକଟକ୍ ସମେତ ୫୯ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲାଗୁକରିଛନ୍ତି । ବ୍ୟାନ୍ ପରେ ଏହି ସବୁ ଆପ୍ ଗୁଗୁଲ ପ୍ଲେ’ ଷ୍ଟୋରରୁ ହଟିଯାଇଛି ।

ନିଖିଲ କହିଛନ୍ତି ଯେ, ସରକାର ୫୯ ଆପ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଯାହା ମଧ୍ୟରେ ଟିକଟକ୍  ମଧ୍ୟ ସାମିଲ ଅଛି । ଏହି ବ୍ୟାନକୁ ନେଇ ଆମେ ଖୁବଶୀଘ୍ର ସରକାରଙ୍କ ସହ ଆଲୋଚନା କରିବୁ । ଟିକଟକ୍ ସବୁବେଳେ ଡାଟା ଓ ପ୍ରାଇଭେସିକୁ ନେଇ ପ୍ରତିବଦ୍ଧ ରହି ଆସିଛି । ଆମେ ଭାରତୀୟ ୟୁଜର୍ସଙ୍କ ଡାଟା କେବେ ମଧ୍ୟ ଚୀନ କିମ୍ବା ଅନ୍ୟ ସରକାରଙ୍କୁ ଦେଇନାହୁଁ ।

https://twitter.com/TikTok_IN/status/1277811841364668416/photo/1

ଗୁଗୁଲ ପ୍ଲେ’ଷ୍ଟୋରରୁ ହଟିଲା ଟିକଟକ୍

ଏହାଭିତରେ ଗୁଗୁଲ ପ୍ଲେ’ ଷ୍ଟୋରରୁ ଟିକଟକକୁ ହଟାଇ ଦିଆଯାଇଛି ।ଟିକଟକ୍ ତରଫରୁ କୁହାଯାଇଛି ଯେ, ଟିକଟକ୍ ୧୪ ଭାରତୀୟ ଭାଷାରେ କଣ୍ଟେଣ୍ଟ୍ ଉପଲବ୍ଧ କରାଇ ଇଣ୍ଟରନେଟର ଗଣତାନ୍ତ୍ରିକରଣ କରିଥିଲା । ଅନେକ ଟିକଟକ୍ ଜରିଆରେ ଇଣ୍ଟରନେଟର ଦୁନିଆକୁ ପ୍ରବେଶ କରିଥିଲେ ।

ଟିକଟକ୍ ମୁଖପାତ୍ର କହିଛନ୍ତି ଯେ, ଭାରତ ସରକାର ୫୯ ଆପ୍ ଉପରେ ବ୍ୟାନ୍ ପାଇଁ ଅନ୍ତରୀଣ ଆଦେଶ ଦେଇଛନ୍ତି । ବାଇଟଡାନ୍ସ ଟିମର ୨ ହଜାର କର୍ମଚାରୀ ଭାରତରେ ଦେଶର ନିୟମ ଅନୁସାରେ କାମ କରୁଛନ୍ତି । ଭାରତରେ ଥିବା ଲକ୍ଷାଧିକ ୟୁଜର୍ସଙ୍କ ପାଇଁ ଆମେ ଗର୍ବିତ ।

ଭାରତୀୟ କଂପାନୀଙ୍କ ସ୍ୱାଗତ

ଅନ୍ୟପକ୍ଷରେ ଭାରତୀୟ କଂପାନୀ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଟିକଟକର ପ୍ରତିଦ୍ୱନ୍ଦ୍ୱି ଭିଡିଓ ଆପ୍ ରୋପେସୋର ମୁଳ କଂପାନୀ ଇନମୋବି ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ସେହିଭଳି ବୋଲୋ ଇଣ୍ଡିଆ କହିଛି ଯେ, ଟିକଟକ୍ ଉପରେ ପ୍ରତିବନ୍ଧକ ସେମାନଙ୍କ ପାଇଁ ବଜାର ଖୋଲିଦେବ ।

 

Leave a Reply