ସିସିଟିଭି କହିଲା ସତ : ଭିଜିଲାନ୍ସ ଡିଏସ୍‌ପି ନିଜ ଜାଲରେ ନିଜେ ପଡ଼ିଲେ

1 min read

ଢ଼େଙ୍କାନାଳ: କଥାରେ ଅଛି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଉପରେ ଥାଇ ସେ ସବୁ ଦେଖୁଛି । ତୁମେ ଯେତେ ଚେଷ୍ଟା କଲେ ବି ନିର୍ଦ୍ଦୋଷୀକୁ କେବେ ଦୋଷୀ ସାବ୍ୟସ୍ତ କରିପାରିବ ନାହିଁ । ଡେରିରେ ହେଉ ପଛେ ଦୋଷୀଙ୍କୁ ଦଣ୍ଡ ମିଳିବ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ । ଷଡ଼ଯନ୍ତ୍ର ହୋଇଥିଲା ଜଣେ ନିର୍ଦ୍ଦୋଷଙ୍କୁ ଫସେଇବା ପାଇଁ । କିନ୍ତୁ ଏଭଳି ସାଙ୍ଘାତିକ ଷଢ଼ଯନ୍ତ୍ର କରିଥିବା ଷଡ଼ଯନ୍ତ୍ରକାରୀ ସେଥିରେ ନିଜେ ଫସିଛନ୍ତି । ନିଜେ ଖୋଳିଥିବା ଗାତରେ ନିଜେ ହିଁ ପଡ଼ିଲେ । ସବୁ ପ୍ରମାଣ ଦେଖି ଅଦାଲତ ଅଭିଯୁକ୍ତୁଙ୍କ ଖଲାସ କରିବା ସହ ଅଭିଯୋଗକାରୀଙ୍କୁ ଜରିମାନା ଦେବାକୁ କହିଛନ୍ତି । ମାନେ ସେତେବେଳେ ଫସାଇଥିଲେ ଏବେ ଫସିଲେ ।

JE

ଏହି କାହାଣୀରେ ତିନି ଜଣ ମୁଖ୍ୟ ଚରିତ୍ର ଅଛନ୍ତି । ଜଣେ ଜେଇ, ଜଣେ ଭିଜିଲାନ୍ସ ଡିଏସପି ଓ ଜଣେ ଠିକାଦାର । ଭିଜିଲାନ୍ସ ଡିଏସପି ଓ ଠିକାଦାର ମିଶିକରି ରଚିଥିଲେ ଷଡ଼ଯନ୍ତ୍ର । ସେମାନଙ୍କ ଟାର୍ଗେଟରେ ଥିଲେ ଜେଇ ରାଜେନ୍ଦ୍ର ପ୍ରସାଦ । କାହାଣୀର ଆରମ୍ଭ ହୁଏ ୨୦୧୭ରେ ।

Vigilance DSP

ରାସ୍ତା କାମ କରୁଥିବା କଣ୍ଟ୍ରାକ୍ଟର ସୁରେଶ କୁମାର ନାୟକ କାମାକ୍ଷାନଗର ଜେଇ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଲାଞ୍ଚ ମାମଲାରେ ଫସାଇବାକୁ ବିଛାଇଥିଲେ ଜାଲ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ଢ଼େଙ୍କାନାଳର ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ର । ଭିଜିଲାନ୍ସ ଡିଏସ୍‌ପି  ଓ ଠିକାଦାର ମିଶିକରି ତିଆରି କରିଥିଲେ ମିଳିତ ପ୍ଲାନ୍‌ । କାରଣ ଜେଇ ରାଜେନ୍ଦ୍ର ପ୍ରସାଦ ରାସ୍ତା କାମ ଖରାପ ହୋଇଛି ବୋଲି ଅଭିଯୋଗ କରିଥିଲେ । ଯାହା ଫଳରେ ଠିକାଦାରଙ୍କର ବିଲ୍ ପାରିତ ହୋଇପାରୁନଥିଲା । ସେଇ ରାଗ ସୁଝାଇବାକୁ ଠିକାଦାର ଓ ଡିଏସପିଙ୍କ ଅସାଧୁ ମେଣ୍ଟ ରାଜେନ୍ଦ୍ରଙ୍କୁ କରିଥିଲା ଟାର୍ଗେଟ୍ ।

Road Contractor

ପ୍ଲାନ ଅନୂଯାୟୀ ୨୪/ ୩/୨୦୧୭ ରେ କାମାକ୍ଷାନଗର ଏନ୍‌ଏସି ଅଫିସରେ ଜେଇଙ୍କ ଚାମ୍ବରରେ ଚଢ଼ାଉ କରିଥିଲେ ତତ୍କାଳୀନ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ର । ପୂର୍ବ ଯୋଜନା ମୁତାବକ ୨୫ ହଜାର ଟଙ୍କା ଭିଜିଲାନ୍ସ ଡିଏସ୍‌ପି ନିଜେ ଜେଇଙ୍କ ଟେବୁଲ ଡ୍ରୟରରେ ରଖିଥିଲେ । ପରେ ସେହି ଟଙ୍କାକୁ ଜେଇଙ୍କ ଉପସ୍ଥିତିରେ ଜବତ କରିଥିଲେ । କିନ୍ତୁ, ଷଡ଼ଯନ୍ତ୍ରକାରୀଙ୍କ ଏହି ସବୁ ଚାଲ ରେକଡ଼ିଂ ହେଉଥିଲା ତୃତୀୟ ନେତ୍ରରେ ମାନେ ସିସିଟିଭିରେ ।

Je office

ରାଜେନ୍ଦ୍ର ପ୍ରସାଦଙ୍କୁ ଗିରଫ କରି ଢ଼େଙ୍କାନାଳ ଭିଜିଲାନ୍ସ ଅଫିସକୁ ଆଣିଥିଲେ ଡିଏସ୍‌ପି । ଏ ସମ୍ପର୍କରେ ଜେଇ ତାଙ୍କୁ ମିଛରେ ଫସାଇ ଦିଆଯାଇଛି ବୋଲି ରାଜ୍ୟ ମାନବାଧିକାରଙ୍କ ପାଖରେ ଗୁହାରି କରିଥିଲେ । ସମ୍ପୃକ୍ତ ଅଫିସର ସିସିଟିଭି ଫୁଟେଜକୁ ମଧ୍ୟ ଦେଇଥିଲେ । ଯାହାର କେଶ ନମ୍ବର ଥିଲା ୩୩୧୦/୨୦୧୭ । ତେବେ ଘଟଣାର ଇନ୍‌କ୍ୱାରୀ କରିବା ପାଇଁ ପୂର୍ବତନ ଭିଜିଲାନ୍ସ ଡିଆଇଜି କାମାକ୍ଷାନଗର ଏନ୍‌ଏସି ଅଫିସ ଯାଇ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରୁଥିଲେ ।

ଦୀର୍ଘ ୨ ବର୍ଷ ପରେ ୧୭ ଜୁଲାଇ ୨୦୨୦ରେ ରାଜ୍ୟ ମାନବାଧିକାରଙ୍କ କୋର୍ଟ ଶୁଣାଣି କରିଛି । ଶୁଣାଣିରେ କୁହାଯାଇଛି ଯେ ଏହି ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା । ଏଥିରେ ଜେଇଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଭିଜିଲାନ୍ସ ଡିଏସ୍‌ପି ତାଙ୍କ ଚାକିରିର ଫାଇଦା ଉଠାଇଛନ୍ତି । ତେଣୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ଲକ୍ଷ ଟଙ୍କା ଜରିମାନା ରାଜେନ୍ଦ୍ର ପ୍ରସାଦଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କୁ ବ୍ଲାକ୍‌ ଲିଷ୍ଟେଡ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ ।

Leave a Reply