ହାତୀ ଉପଦ୍ରବ ଅସମ୍ଭାଳ, ବସ୍ତାରୁ ଚାଉଳ ସହ ଖାଇଗଲା ୧୦ ହଜାର ଟଙ୍କା

Elephant terror

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ୍‌ ଅଞ୍ଚଳରେ ନରହନ୍ତା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି । ଶନିବାର ବିଳମ୍ବିତ ରାତିରେ ସରୁଆଳି ଗାଁର ଅଙ୍ଗଦ ସାହିରେ ପଶି ସୁରମା ପାତ୍ରଙ୍କର ଝରକା ଭାଙ୍ଗି ୨ ବସ୍ତା ଧାନ ଓ ୨ ବସ୍ତା ଚାଉଳ ଖାଇବା ସହ ଘରର ଆସବାବପତ୍ର ସହ ଗ୍ରିଲ ଭାଙ୍ଗି ଦେଇଛି ।

ସେପଟେ ସରୁଆଳି ଗାଁ ଭିତରେ ପଶି ସମବାରୀ କିଶାନଙ୍କ ଘର ଭାଙ୍ଗି ଦୁଇ କ୍ୱିଣ୍ଟାଲ ଚାଉଳ ସହ ବସ୍ତା ଭିତରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଖାଇଯାଇଛି । ଅନ୍ୟପଟେ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ଦୁଇଟି ପୋଷା କୁକୁରକୁ ମଧ୍ୟ ଦନ୍ତା କଚାଡି ମାରି ଦେଇଛି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଗତ ୧୬ ତାରିଖରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିଲା ଦନ୍ତା । ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନରହନ୍ତା ଦନ୍ତାକୁ ସେ ଅଞ୍ଚଳରୁ ଘଉଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୁପ ଧାରଣ କରିବାରେ ଲାଗିଛି ।

ସେହିଭଳି ଢେଙ୍କାନାଳ ସହରରେ ଦନ୍ତାଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଶନିବାର ରାତିରେ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପଛପାଖରେ ଦନ୍ତା ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  । ପୂର୍ବରୁ ୩ ଲୋକଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ଏବେ ସହର ମୁହାଁ ହୋଇଥିବାରୁ ଲୋକେ ଆତଙ୍କିତ । ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସୂଚନା ଅନୁସାରେ, କିଛିଦିନ ହେବ ଗୋବିନ୍ଦପୁର ଅଞ୍ଚଳ ଓ ବେଲଟିକିରି  ଅଞ୍ଚଳ ଗୁଡିକରେ ୩ ଲୋକଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିଲା ଦନ୍ତା । ଏବେ ଏହି ନରହନ୍ତା ଦନ୍ତା ସହର ମୁହାଁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟ ଦେଖାଦେଇଛି । ଗତକାଲି ରାତିରେ ସହରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପଛପାଖରେ ଦନ୍ତା ବୁଲୁଥିବାର ଦୁର୍ଶ୍ୟ ସିସିଟିଭିରେ କଏଦ ହୋଇଛି । ଦୃଶ୍ୟ ସାମ୍ନାକୁ ଆସିବା ପରେ ରାତିରେ ସ୍ଥାନୀୟ ଲୋକେ ଚିନ୍ତାରେ । ତେବେ ଦନ୍ତାକୁ ଘଉଡ଼ାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply