ଟ୍ୱିନ ସିଟି କମିଶନରଙ୍କ ପ୍ରେସମିଟ୍; ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ସୂଚନା….

1 min read
Corona Press Meet Of Twin City Commissioners

ରାଜଧାନୀରେ କରୋନା ଏବେ ନିୟନ୍ତ୍ରଣକୁ ଫେରିଛି । ଗତ ଦଶ ଦିନର ସଂକ୍ରମଣର ମାତ୍ରାକୁ ଦେଖିଲେ ଜଣାଯାଏ ଯେ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ କମିଛି । କେବଳ ରାଜଧାନୀରେ ଦିନକୁ ୩ ହଜାର ଟେଷ୍ଟ ହେଉଛି । ସେହିଭଳି ପୂର୍ବରୁ କରୋନାଜନିତ ଆଇସିୟୁ ଓ କୋଭିଡ୍ ବେଡର କମି ଥିବା ବେଳେ ଏବେ ସେସବୁ ସମାଧାନ ମଧ୍ୟ ହୋଇଛି । ବିଏମସି କମିଶନର ଏନେଇ ସୂଚନା ଦେଇ କହିଛନ୍ତି ଯେ, ରାଜଧାନୀରେ ସଂକ୍ରମଣ କାବୁକୁ ଆସିବା ପରେ ଏବେ କୋଭିଡ୍ ବେଡ୍ ଓ ଆଇସିୟୁ ଖାଲି ପଡିଛି ।

ପାଖାପାଖି ଶହେରୁ ଅଧିକ ବେଡ୍ ଖାଲି ପଡିଥିବା କଥା ବିଏମସି କମିଶନର ସୂଚନା ଦେଇଛନ୍ତି । ୧୮ଟି ଘରୋଇ ଡାକ୍ତରଖାନା ଓ ୭ ସରକାରୀ ଡାକ୍ତରଖାନା କରୋନା ମୁକାବିଲାରେ ଲାଗିଥିବା ବେଳେ ଯଥେଷ୍ଟ ଆମ୍ୱୁଲାନ୍ସ ଉପଲବଧ ଥିବା କଥା କମିଶନର କହିଛନ୍ତି । ସେହିଭଳି ସଂକ୍ରମଣ ସନ୍ଦେହରେ ଟେଷ୍ଟିଂ କରିବାକୁ ଚାହୁଁଥିବା ଲୋକେ ଟେଷ୍ଟ କରିବା ପାଇଁ ଆଗଭର ହୁଅନ୍ତୁ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ନଭେମ୍ୱର ୨ରୁ କଟକରୁ ସେରୋ ସର୍ଭେ ଆରମ୍ଭ ହେଉଛି । ସେହିଭଳି ଏସସିବିରେ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟରର ଉଦଘାଟନ ହୋଇଛି । କଟକ ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ ଭଲ ସ୍ଥିତିରେ ରହିଛି ଓ ଖୁବ୍ ଶୀଘ୍ର ଆହୁରି ନିୟନ୍ତ୍ରଣକୁ ଆସିବ ବୋଲି ସିଏମସି କମିଶନର କହିଛନ୍ତି । ତେବେ ସ୍କୁଲ କଲେଜ ଖୋଲିବା ନେଇ ମଧ୍ୟ ଉଭୟ ସିଏମସି ଓ ବିଏମସି ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ନିର୍ଦ୍ଦେଶ ମିଳିଲେ, ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇ ସ୍କୁଲ-କଲେଜ ଖୋଲାଯିବ ।

Leave a Reply