TVDS ଓ ସିସିଟିଭିରେ ଧରାପଡ଼ିଲେ ୯୫ ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ

1 min read

ଭୁବନେଶ୍ୱର(ଅରୁଣ ସାହୁ): ନୂଆ ଟ୍ରାଫିକ ନିୟମ ଲାଗୁ ପରେ ରାଜଧାନୀରେ ଚାଲିଛି ଜୋରଦାର ଚେକିଂ । ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ ନିୟମ ଭାଙ୍ଗିବା ଅଭିଯୋଗରେ ୨୭ଟି ଜାଗାରେ ଚେକିଂ କରାଯିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଟିଛି ଇ-ଚାଲାଣ । ଅନ୍ୟପଟେ ରାଜଧାନୀରେ TVDS ଓ ସିସିଟିଭିରେ ୯୫ ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବିରୋଧରେ ମଧ୍ୟ ଇ-ଚାଲାଣ କାଟିଛି ପୋଲିସ ।

ସିସିଟିଭି କାଟିଲା ଇ-ଚାଲାଣ । TVDS ଦେଲା ଉଲ୍ଲଂଘନର ପ୍ରମାଣ । ଚିହ୍ନଟ ହୋଇଛନ୍ତି ଆଇନ ଖିଲାପକାରୀ ବାଇକ ଆରୋହୀ । ରଙ୍ଗ ରୁଟ ହେଉକି, ସ୍ପିଡ ବାଇକ ଡ୍ରାଇଭିଂ, ବିନା ହେଲମେଟ ଓ ସିଟ ବେଲ୍ଟ ନ ପିନ୍ଧି ଗାଡ଼ି ଚଳାଇ ଟ୍ରାଫିକ ନିୟମ ଭାଙ୍ଗିଥିବା ପ୍ରମାଣ ପାଇଛି ପୋଲିସ । ରୁପାଲି ଛକରେ ଲାଗିଥିବା ଟ୍ରାଫିକ ଭାଓଲେସନ ଡିକ୍ଟେସନ୍ ସିଷ୍ଟମ ଦ୍ଵାରା ଚିହ୍ନଟ ହୋଇଛନ୍ତି ୩୬ ଜଣ ଉଲ୍ଲଂଘନକାରୀ । ଅନ୍ୟପଟେ ସହରର ପ୍ରମୁଖ ଛକରେ ଲାଗିଥିବା ସିସିଟିଭିରେ ୫୯ ଜଣ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଚିହ୍ନଟ ହୋଇଛନ୍ତି । ଟ୍ରାଫିକ ପୋଲିସ ୯୫ ଜଣଙ୍କ ଘରକୁ ଡାକରେ ଇ-ଚାଲାଣ ପଠାଇଛି ।

ଅନ୍ୟପଟେ ଭୁବନେଶ୍ୱରରେ ଦ୍ୱିତୀୟ ଦିନରେ ପଟିଆ, ନାଲକୋ, ଜୟଦେବ ବିହାର, କଳ୍ପନା ସମେତ ୨୭ଟି ଛକରେ ଜୋରଦାର ଚେକିଂ କରିଛି ପୋଲିସ । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜାତୀୟ ରାଜପଥ ଓ ସହର ଭିତରେ ଗାଡି ସ୍ପିଡ ଲିମିଟ୍ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଦେଇ ଯାଉଥିବା ଜାତୀୟ ରାଜପଥରେ ଗାଡିର ବେଗ ୭୦ କିଲୋମିଟର ଓ ସହର ଭିତରେ ଗାଡିର ବେଗ ୫୦ କିଲୋମିଟର ଘଣ୍ଟା ପ୍ରତି ରହିବ । ଅନ୍ୟପଟେ ମେଡିକାଲ ଓ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ସ୍ପିଡ ଲିମିଟ୍ ୨୦ରୁ ୩୦ କିଲୋମିଟର ରହିବ । ଏହାକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।

ନୂଆ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ସେପ୍ଟେମ୍ବର ମାସ ଅପେକ୍ଷା ନଭେମ୍ବର ମାସରେ ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା କମିଛି । ସେପ୍ଟେମ୍ବର ମାସରେ ୨୩୯୪ ଜଣ ଗିରଫ ହୋଇଥିବା ବେଳେ ଅକ୍ଟୋବର ମାସରେ ୩୪୬୨ ଜଣ ଓ ନଭେମ୍ବର ମାସରେ ୨୭୨୭ ଜଣ ମଦ୍ୟପାନ କରି ଗାଡ଼ି ଚଳାଇ ଗିରଫ ହୋଇଛନ୍ତି । ନଭେମ୍ବର ମାସରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୬୦୮ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ ।

Leave a Reply