ଭୁବନେଶ୍ୱର: ଓଡିଶାରେ ପୁଣି ଅନୁଭୂତ ହେବ ଶୀତ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଘନ କୁହୁଡି ସାଙ୍ଗକୁ ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବ । ବିଶେଷ କରି ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଦୁଇଦିନ ପର୍ଯ୍ୟନ୍ତ ଶୀତଲହରୀ ବା କୋଲ୍ଡ ଓ୍ୱେଭ୍ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଦୁଇ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବ। ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଭୁବନେଶ୍ୱରରେ ଆକାଶ ମେଘମୁକ୍ତ ରହିବା ସହ କୁହୁଡି ଦେଖାଦେବ । ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନୁଗୁଳ, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳରେ ଘନ କୁହୁଡି ଦୃଶ୍ୟମାନ ହେବ । ଏହି ସ୍ଥାନଗୁଡିକରେ ଦୃଶ୍ୟମାନ ୨ଶହ ମିଟରରୁ କମ୍ ରହିବ । ଏହାସହ ଉପକୂଳ ଓଡ଼ିଶାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ।

Leave a Reply