୫୧ ଦିନରେ ଚାଷୀ ଆନ୍ଦୋଳନ, ପୁଣି ବସିବ ବୈଠକ

ନୂଆଦିଲ୍ଲୀ: ନୂଆ ଆଇନକୁ ନେଇ ଆର୍ ୟା ପାର ଲଢେଇ ଲଢୁଛନ୍ତି ଚାଷୀ । ୫୧ ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ସମସ୍ୟାର ସମାଧାନ ପାଇଁ ଆଜି ପୁଣି ଥରେ କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ବସିବ ବୈଠକ । ଦିଲ୍ଲୀର ବିଜ୍ଞାନ ଭବନରେ ଅପରାହ୍ନ ୧୨ଟାରେ ହେବ ବୈଠକ ।

ପୂର୍ବ ନିର୍ଧାରିତ ସୂଚି ଅନୁଯାୟୀ ବୈଠକରେ ଆଲୋଚନା ହେବ । ବୈଠକରେ ସମସ୍ୟାର ସମାଧାନ ନେଇ ବାଟ ବାହାରିପାରେ ବୋଲି ଆଶା କରାଯାଉଛି । ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅନେକ ଚାଷୀଙ୍କ ଜୀବନ ଯାଇଥିବା ବେଳେ, ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । ତେଣୁ ଆଜି କିଛି ବଡ ନିଷ୍ପତ୍ତି କେନ୍ଦ୍ର ସରକାର ନେଇପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଚାଷୀ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ଯଦି ଆଜିର ବୈଠକରେ ସରକାର ଚାଷୀଙ୍କ ଦାବି ନ ମାନନ୍ତି, ତେବେ ଆସନ୍ତା ୧୮ ତାରିଖରେ ମହିଳା କିଷାନ ଦିବସ ପାଳିବେ ଆନ୍ଦୋଳନକାରୀ ଚାଷୀ । ସେହିଭଳି ୨୫ ଓ ୨୬ ତାରିଖରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି ।

Leave a Reply