ଛତିଶଗଡ଼ ରାୟପୁରରେ ପ୍ରବାସୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: ରାୟପୁର ବସ୍ ଦୁର୍ଘଟଣା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ମୃତକ ପରିବାରଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେପଟେ ଆହତ ମାନଙ୍କୁ ମଧ୍ୟ ମାଗଣା ଚିକିତ୍ସା ଯୋଗାଇବାକୁ ମିଳିଛି ପ୍ରତିଶ୍ରୁତି । ଏହା ସହ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଶ୍ରମିକ ମାନଙ୍କର ସମସ୍ତ ପ୍ରକାରର ସୁବିଧା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଆଜି ଛେରିଖେଡିରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଓଡିଶା ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ମୃତକଙ୍କ ପରିଚୟ ମିଲିନଥିବା ବେଳେ ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ କାଙ୍ଗପୁର ଥାନା ଅଞ୍ଚଳର ଲୋକ ବୋଲି ଜଣାପଡ଼ିଛି ।

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ଅଭୟଙ୍କୁ ଛତିଶଗଡ଼ ଡିଜିଙ୍କ ସହ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିବାହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦୁର୍ଘଟଣାର କାରଣ ଓ ଆହତଙ୍କ ଚିକିତ୍ସା ସମ୍ପର୍କିତ ରିପୋର୍ଟ ମଗାଯାଇଛି । ବରଗଡ଼ ଆର୍‌ଟିଓଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟ ଛତିଶଗଡ଼ ଡିଜିଙ୍କ ସହ କଥା ହୋଇଛନ୍ତି । ଏହାସହ ପଦ୍ମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିବା ଡିଜି ସୂଚନା ଦେଇଛନ୍ତି ।

Leave a Reply