ଗୋଆରେ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାରଣ

1 min read

ଗୋଆ: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୋଆର ଭସ୍କୋ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି। ନ୍ୟୁଡ୍ ଫଟୋଶୁଟ୍ ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ମଧ୍ୟ ମିଲିନ୍ଦ ନିଜର ଏମିତି ଅନେକ ଫଟୋସୁଟ୍ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମିଲିନ୍ଦ ନିଜ ମଡେଲିଂ ଓ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଏଥର ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଅସୁବିଧାରେ ପଡିଛନ୍ତି ମିଲିନ୍ଦ ।

ଇଣ୍ଟରନେଟ୍ ପୋଷ୍ଟ ଆଇଟି ଆକ୍ଟ ଅଧୀନରେ ଆଇପିସିର ଧାରା ୨୯୪  ଏବଂ ୭ ଅନୁଯାୟୀ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନଭେମ୍ବର ମାସ ୪ ତାରିଖରେ ମିଲିନ୍ଦ ତାଙ୍କ ୫୫ ତମ ଜନ୍ମଦିନ ପାଳନ କରୁଥିବାବେଳେ ସୋମନ୍ ଏକ ଫଟୋଶୁଟ୍ କରିଥିଲେ । ଏହି ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏହି ଫୋଟରେ ସୋମନ ନ୍ୟୁଡ୍ ହୋଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସେୟାର କରି ଅଭିନେତା “ହ୍ୟାପି ବର୍ଥଡେ ଟୁ ମି” ଲେଖିଛନ୍ତି ।

ମିଲିନ୍ଦ ସୋମନଙ୍କ ଫଟୋ ସାମ୍ନାକୁ ଆସିବା ପରେ ଗୋଆର ଏକ ରାଜନୈତିକ ଦଳ ‘ଗୋଆ ସୁରକ୍ଷ ମଞ୍ଚ’ ଭସ୍କୋ ପୋଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସୋମନଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିବା ଗୋଆର ସଂସ୍କୃତିକୁ ଅପମାନିତ କରିଛି। ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ନିକଟରେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଗୋଆରେ ଗିରଫ କରାଯାଇଥିଲା।  କାନାକୋନା ସହରର ଚାପୋଲି ଡ୍ୟାମରେ ଅଶ୍ଳୀଳ ଭିଡିଓ ଓ ଫଟୋ ସୁଟ କରିବା ପାଇଁ ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଡ୍ୟାମର ପରିଚାଳନା ସମ୍ଭାଳୁଥିବା ଜଳ ସମ୍ପଦ ବିଭାଗ ଏନେଇ ଅଭିଯୋଗ କରିଥିଲା । ଏହି ମାମଲାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା।

Leave a Reply