ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ୧୫ ଜିଲ୍ଲାର ୭୮ଟି ଆସନ ପାଇଁ ଚାଲିଛି ମତଦାନ

ବିହାର: ଆଜି ବିହାର ବିଧାନସଭା ପାଇଁ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ । ଏହି ଶେଷ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‍ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟ ୨ କୋଟି ୩୫ ଲକ୍ଷ ଭୋଟର୍‍ ୧୨ ଶହ ୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ଶହେ ୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ ୩୩ ହଜାର ୭୮୨ ମତଦାନ କେନ୍ଦ୍ର ମଧ୍ୟରୁ ୪ ହଜାର ୯୯୯ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।

କିଷାନଗଞ୍ଜ, କଟିହାର, ମାଧେପୁରା ଏବଂ ସପୌଲ ଆଦି ୧୫ଟି ଜିଲ୍ଲାରେ ମତଦାନ ହେବ । ସେହିପରି ବାଲ୍ମିକୀ ନଗର ସଂସଦୀୟ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେବେ ନକ୍ସଲ ପ୍ରବଣ ବାଲ୍ମିକୀ ନଗର, ରାମନଗର, ସିମ୍ରି ଭକ୍ତିଆରପୁର ଏବଂ ମହିଶିହି ଆସନରେ ଦିନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ବିଜେପି ୩୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ ୩୭ଟି, ବିକାଶଶୀଳ ଇନ୍‍ସାନ୍‍ ପାର୍ଟି ୫ଟି ଆସନରୁ ଲଢୁଛନ୍ତି ।

ସେହିପରି ହିନ୍ଦୁସ୍ଥାନୀ ଆୱମ୍‍ ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‍ ରାମ ମାନ୍‍ଝୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମହାମେଣ୍ଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସିପିଆଇଏମ୍‍ଏଲ୍‍ ପକ୍ଷରୁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସିପିଆଇ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେହିପରି ଲୋକ ଜନଶକ୍ତି ପାର୍ଟିର ୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଉପେନ୍ଦ୍ର ଖୁସ୍‍ୱାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକସମତା ପାର୍ଟି ୨୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୫ଟି ସହଯୋଗୀ ରାଜନୈତିକ ଦଳ ସହିତ ବହୁଜନ ସମାଜ ପାର୍ଟି ୧୯ଟି ଆସନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

Leave a Reply