ବାଲେଶ୍ୱରରେ ଆଜି ନିର୍ବାଚନୀ ପ୍ରଚାର କରିବେ ନବୀନ : ବିଜେଡି ଶିବିର ଉତ୍ସାହିତ

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ହାଇଭୋଲଟେଜ ପ୍ରଚାର । ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କଟକଣା ପାଇଁ ନବୀନ ଭର୍ଚୁଆଲରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ସହରରେ ଆଇଟିଆଇ ପଡିଆ, ସିଦ୍ଧି କଲ୍ୟାଣମଣ୍ଡପ ସମେତ ୪ ଟି ସ୍ଥାନରେ ଏବଂ ଗ୍ରାମାଞ୍ଚଳର ୪ ଟି ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଜେଡି ଶିବିର ବେଶ ଉତ୍ସାହିତ ।

ସୂଚନା ଯୋଗ୍ୟ , ବୁଧବାର ତିର୍ତ୍ତୋଲ ବିଧାନସଭା ଆସନ ନେଇ ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରି ସେ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବେ । ଜନ କଲ୍ୟାଣ ରାଜ୍ୟର ପରିକଳ୍ପନାରେ ରାଜ୍ୟ ଉଲ୍ଲେଖନୀୟ ଭାବେ ପ୍ରଗତୀ କରିଛି । ଆପଣଙ୍କ ଅକୁଣ୍ଠ ସମର୍ଥନ ବିଜୁ ଜନତାକୁ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ତିର୍ତ୍ତୋଲରେ ମୁଖ୍ୟମନ୍ତ୍ରୀଙ୍କର ଭର୍ଚୁଆଲ ପ୍ରଚାର, ଅଞ୍ଚଳର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ…

ସେପଟେ କଂଗ୍ରେସ ପାଇଁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଧାୟକ ସୁର ରାଉତରାୟ, ତାରାପ୍ରସାଦ ବାହିନୀପତି । ସଦର ନିର୍ବାଚନ ବାଜି ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ମମତା କୁଣ୍ଡ । ତାରା ସୁରଙ୍କ ସମେତ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିରାଜ ପାଣୀଗ୍ରାହୀ, ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ , କଂଗ୍ରେସ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ,ପ୍ରଦୀପ ମାଝୀ,ଦେବାଶିଷ ପଟ୍ଟନାୟକ, ସତ୍ୟଶିବ ଦାଶ , ଯଜ୍ଞେଶ୍ୱର ବାବୁ, ପଦ୍ମାକର ଗୁରୁ ପ୍ରଚାର କରୁଛନ୍ତି। ବିଜେପି ପାଇଁ ପ୍ରଚାର କରିବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ବସନ୍ତଙ୍କ ସହ ଲେଖାଶ୍ରୀ ସାମନ୍ତ ସିଂହାର ଦଳର ପ୍ରାର୍ଥୀ ମାନସ ଦତ୍ତ ଙ୍କ ପାଇଁ ପ୍ରଚାର କରୁଛନ୍ତି ।

Leave a Reply