ଚାଷୀ ଆନ୍ଦୋଳନ ନେଇ ବିଜେପି ଡ୍ରାମା କରୁଛି: ବିଜେଡି

1 min read
Lekhashree

ଭୁବନେଶ୍ୱର: ଚାଷୀ ଆନ୍ଦୋଳନ ନେଇ ବିଜେପି ଡ୍ରାମା କରୁଛି । ପ୍ରେସ୍‌ମିଟ୍‌ କରି ବିଜେପିର ମୁଖା ଖୋଲିଲା ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଚାଷୀଙ୍କ ହକ୍‌ ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ଦଳ ଆହୁରି ମଧ୍ୟ କହିଛି ଯେ, ଦଲାଲଙ୍କ ପାଇଁ ବିଜେପି ନେତା ଆନ୍ଦୋଳନ କରୁଛନ୍ତି । ଟିଭି ସ୍କ୍ରିନରେ ଡ୍ରାମା ସୁନ୍ଦର ଲାଗେ, ବାସ୍ତବ କ୍ଷେତ୍ରରେ ନୁହେଁ । ଚାଷୀଙ୍କ ସବୁ ବଳକା ଧାନ ସରକାର ସଂଗ୍ରହ କରିବେ ବୋଲି ବିଜେଡି ସ୍ପଷ୍ଟ କରିଛି ।

ସେପଟେ ବିଜେପି ନେତା ରାତି ତମାମ ସମ୍ବଲପୁର ଥାନାରେ ଧାରଣାରେ ବସିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ଯଦି ଥାନାରେ ବସିବେ, ଆନ୍ଦୋଳନ କରିବେ ତାହେଲେ ଗଣତନ୍ତ୍ର ଶେଷ ହୋଇଯିବ । ଯାହା ହାତରେ କ୍ଷମତା ଅଛି, ଯିଏ କାମ କରିବା କଥା, ସେ ଆନ୍ଦୋଳନ କରିବା ହାସ୍ୟାସ୍ପଦ । ଏହା ପଛରେ ବଜେପିର ହୀନ ରାଜନୀତି ରହିଛି । କର୍ତ୍ତବ୍ୟ ନକରି ବିଜେପି ନେତା ଥାନାରେ କାହିଁକି ବସିଛନ୍ତି ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳର ୧୦ରୁ ଅଧିକ ବିଜେପି ନେତା ରାତି ସାରା ଥାନାରେ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଲାଗି ରହିଥିବା ମଣ୍ଡି ସମସ୍ୟାକୁ ନେଇ ବିଜେପି ନେତା ଚାଷୀ ଅଧିକାର ରାଲି କରିଥିଲେ । ଏହି ସମୟରେ ସେମାନେ ସମ୍ବଲପୁର ଆର୍‌ଡିସି ଅଫିସ୍ ଘେରାଉ କରିଥିଲେ । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପରେ ଥାନାରେ ମଧ୍ୟ ବିଜେପି ନେତା ରାତି ସାରା ଆନ୍ଦୋଳନ କରିଥିଲେ ।

Leave a Reply