ସେପ୍ଟେମ୍ବରରୁ ବିଧାନସଭା ଅଧିବେଶନ; ବିଧାୟକଙ୍କ ମଧ୍ୟରେ ରହିବ ୧୨ ମିଟର ଦୂରତା, ସାମ୍ବାଦିକଙ୍କୁ ପ୍ରବେଶ ମନା..!

Assembly Session Will start From September with Social Distancing

ଭୁବନେଶ୍ୱର: ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ । ଏନେଇ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା କରି ବିଚାର ବିମର୍ଷ କରିଛନ୍ତି ବାଚସ୍ପତି । ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଆସିବେ ହେଲେ ପ୍ରତ୍ୟେକ ବିଧାୟକଙ୍କ ମଧ୍ୟରେ ୪ ଗଜ ଦୂରତା ବା ୧୨ ମିଟର ଦୂରତା ରହିବ । ଏହି ଦୂରତା ରକ୍ଷା କରି ବିଧାୟକମାନେ ବିଧାନସଭାରେ ବସିବେ ।

ବିଧାୟକମାନେ ବସିବା ପାଇଁ ଦର୍ଶକ ଓ ସାମ୍ବାଦିକ ଗ୍ୟାଲେରୀର ବ୍ୟବହାର କରାଯିବ । ବୈଠକ ସମୟରେ ସାଧାରଣ ଲୋକ ଭିତରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଏମିତିକି ବୈଠକ ସମୟରେ ସାମ୍ବାଦିକମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହିଭଳି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ବିଧାନସଭାର ସମସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯିବ । ଗଣମାଧ୍ୟମକୁ ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଅନ୍ୟପଟେ ବିଧାନସଭାରେ ବିଧାୟକ ମାନେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଏହାସହ ଚଳିତ ମାସରେ ହେବାକୁ ଥିବା ବିଭିନ୍ନ କମିଟିର ସମସ୍ତ ବୈଠକକୁ ବାଚସ୍ପତି ବାତିଲ କରିଥିବା କହିଛନ୍ତି । ଆବଶ୍ୟକ ପଡ଼ିଲେ ଭିଡିଓ କଲ୍‌ ମାଧ୍ୟମରେ ଆଲୋଚନା ବା ବୈଠକ କରାଯିବ । ଜିଲ୍ଲା ଓ ବ୍ଲକରେ ଭିଡିଓ କଲ୍ ମାଧ୍ୟମରେ ବିଭିନ୍ନ ସଦସ୍ୟ ସାମିଲ ହେବେ ବୋଲି ସେ କହିଛନ୍ତି ।

Leave a Reply