ତୁଟୁନି ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ଗ୍ରାଉଣ୍ଡ ଜିରୋର ରିପୋର୍ଟ ମାଗିଲେ ବାଚସ୍ପତି

Border Dispute

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ବିବାଦ ସମାଧାନ କମିଟିର କଡ଼ା ଆଭିମୁଖ୍ୟ । ସୀମା ବିବାଦର ସମାଧାନ ପାଇଁ ପୂର୍ବରୁ କମିଟିର ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି ? ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ବିସ୍ତୃତ ରିପୋର୍ଟ କମିଟିର ଆଗାମୀ ବୈଠକରେ ପଢ଼ିବାକୁ ବାଚସ୍ପତି ତଥା କମିଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ କ୍ଷେତ୍ରାଞ୍ଚଳ ପରିଦର୍ଶନକୁ ଗୁରତ୍ୱ ଦିଆଯାଇଛି । ବାଲି ଚୋରା ଚାଲାଣ ବିରୋଧରେ ପ୍ରଶାସନିକ ପଦକ୍ଷେପ ବି ଫୋକସରେ ରହିଛି ।

କୋଟିଆରେ ଥାନା କାର୍ଯ୍ୟକ୍ଷମ ହୋଇଛି କି ? ସୀମାନ୍ତ ସ୍କୁଲ ବନ୍ଦ ହୋଇନି ତ?

କେତେଥର ଜିଲ୍ଲାପାଳ ସୀମା ଗସ୍ତ କରିଛନ୍ତି ? ସୀମା ବିବାଦ ସମାଧାନ କମିଟିର ଆଜିର ବୈଠକରେ ଏପରି ଅନେକ ପ୍ରଶ୍ନ ଉଠିଛି । କମିଟିର ଗତ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ନିଆଯାଇଥିବା ପଦକ୍ଷେପ ଜାଣିବାକୁ ଚାହିଁଥିଲେ ବାଚସ୍ପତି । କମିଟି ଆଗରେ ବିଭିନ୍ନ ବିବରଣୀ ରଖିବା ପରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି । କୋଟିଆର ୨୧ଟି ଗାଁର, ଆନ୍ଧ୍ର ପ୍ରଦେଶ ସହ ସୀମା ବିବାଦ ଲାଗିଛି । ଲୋକଙ୍କୁ ଆନ୍ଧ୍ରରୁ ସୁବିଧା ମିଳୁଥିବାରୁ ସେମାନେ ଆନ୍ଧ୍ରମୁହାଁ ହେଉଛନ୍ତି । ଏହାର ସମାଧାନ ପାଇଁ କୋଟିଆରେ ସ୍ଥାୟୀ ଥାନା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସୀମାନ୍ତ ଅଞ୍ଚଳର ୫ କିଲୋମିଟର ଯାଏ ଶିକ୍ଷାନୁଷ୍ଠାନ, ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ନକରିବାକୁ ପ୍ରସ୍ତାବ ରହିଛି । ଏସବୁ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ବିଭାଗୀୟ ଅଧିକାରୀ ରିପୋର୍ଟ ଦେବେ ।

ଏହା ବ୍ୟତୀତ ସୁବର୍ଣ୍ଣରେଖା ଓ ବାହୁଦା ନଦୀରୁ ବାଲି ଚୋରା ଚାଲାଣ ରୋକିବାକୁ ତହସିଲଦାରଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ବାଲି ମାଫିଆଙ୍କଠାରୁ ଫାଇନ୍‌ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାହା କେତେ ଦୂର କାର୍ଯ୍ୟକାରୀ ହୋଇଛି, ସେ ରିପୋର୍ଟ ମଧ୍ୟ କମିଟିର ଆସନ୍ତା ବୈଠକରେ ଉପସ୍ଥାପନ ହେବ । ସୀମାନ୍ତ ଅଞ୍ଚଳକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିୟମିତ ଗସ୍ତ କରିବେ । ଏ ଦିଗରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇପାରିବେ । ରାଜସ୍ବ ବିଭାଗ ସୀମା ବିବାଦର ସମାଧାନ ପାଇଁ ବାଟ ବାହର କରିବ ବୋଲି କୁହାଯାଇଛି ।

Leave a Reply