Sushant Singh Rajput Case: ସୁଶାନ୍ତଙ୍କ ଭଉଣୀ ଏବଂ ଷ୍ଟାଫଙ୍କ ସାମ୍ନାରେ କ୍ରାଇମ ଦୃଶ୍ୟ ରିକ୍ରିଏଟ କରିବାକୁ ପହଞ୍ଚିଲା CBI

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଏବେ ମଧ୍ୟ କେତେକ ରାଜ୍ ଖୋଲିବା ବାକି ରହିଛି । ଏହି ମାମଲାରେ ଡ୍ରଗ୍ସ କାରବାରକୁ ନେଇ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଅନ୍ୟ ପକ୍ଷରେ ଉକ୍ତ ମାମଲାକୁ ତଦନ୍ତ କରୁଥିବା ସିବିଆଇ ଶନିବାରକୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଛି । ସିବିଆଇ ଅଧିକାରୀଙ୍କ ସମେତ ସୁଶାନ୍ତଙ୍କ ଭଉଣୀ ନୀତୁ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହିତ ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହିତ ସିଦ୍ଧାର୍ଥ ପିଠାନୀ ଏବଂ ନୀରଜ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ବାସ୍ତବରେ ସୁଶାନ୍ତଙ୍କ ମୃତ୍ୟୁ ଦିନ କ’ଣ ଘଟିଥିଲା ଏବଂ କିଭଳି ସୁଶାନ୍ତଙ୍କ ମୃତ୍ୟୁ ଘଟିଛି ତାହାର ପର୍ଦ୍ଦାଫାଶ କରିବା ପାଇଁ ସିବିଆଇ ସେହି ସମୟର ଦୃଶ୍ୟକୁ ରିକ୍ରିଏଟ କରିବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ସିବିଆଇ ଦୁଇ ଥର ମୃତ୍ୟୁ ଦୃଶ୍ୟକୁ ରିକ୍ରିଏଟ କରି ସାରିଛି । ସେହି ସମୟରେ ସିବିଆଇର ଫରେନସିକ ଏକ୍ସପର୍ଟ ଉପସ୍ଥିତ ଥିଲେ । ଏହିଥର କିନ୍ତୁ ଏମ୍ସ ଡାକ୍ତର ଉପସ୍ଥିତ ଅଛନ୍ତି । ଏଥରର ଦୃଶ୍ୟକୁ ଭିନ୍ନ ଉପାୟରେ ରିକ୍ରିଏଟ କରାଯିବ ।

ସୁଶାନ୍ତଙ୍କ ମୃତ୍ୟୁ ଦିନ ଘରେ ସିଦ୍ଧାର୍ଥ,କେଶବ ଏବଂ ନୀରଜ ଉପସ୍ଥିତ ଥିଲେ । ଏହା ସହିତ ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଭଉଣୀ ନୀତୁ ସିଂ ତୁରନ୍ତ ପହଞ୍ଚିଥିଲେ । ଯେଉଁ କାରଣରୁ ସେ ମଧ୍ୟ ଏହି ତଦନ୍ତ ସମୟରେ ଉପସ୍ଥିତ ଅଛନ୍ତି । ତେବେ ଉକ୍ତ ଦୃଶ୍ୟ ରିକ୍ରିଏଟ ପରେ ତଦନ୍ତରେ କେଉଁ ନୂଆ ମୋଡ଼ ଆସୁଛି ତାହା ଜାଣିବା ବାକି ରହିଲା ।

Leave a Reply