କରୋନାକୁ ହରାଇ ଏକାଥରକେ ୯୫ ଜଣ ପୋଲିସ କର୍ମଚାରୀ କାର୍ଯ୍ୟକୁ ଫେରିଲେ

ଭୁବନେଶ୍ୱର: କରୋନା ସଂକଟରେ ପୁରା ରାଜ୍ୟ । ଦିନକୁ ଦିନ ଏଥିରେ ସଂକ୍ରମିତ ହେବାରେ ଲାଗିଛନ୍ତି ରାଜ୍ୟବାସୀ । ଥମିବାର ନାଁ ହିଁ ଧରୁନି କରୋନା  । ତେବେ ଏହି ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଫୁଟର କରୋନା ଯୋଦ୍ଧା । ସେ ପୋଲିସ କର୍ମଚାରୀ ହୁଅନ୍ତୁ କି ସ୍ୱାସ୍ଥ୍ୟକର୍ମୀ ।

କରୋନା ଯୋଦ୍ଧା ଅସୁସ୍ଥ ହେବା ଦ୍ୱାରା ସମସ୍ୟା ବଢ଼ିବାରେ ଲାଗୁଛି । ତେବେ ରାଜ୍ୟ ପାଇଁ ଏକ ଆସ୍ୱସ୍ତି କର ଖବର ଆସି ପହଞ୍ଚିଛି । କରୋନାକୁ ହରାଇ ଡ୍ୟୁଟିକୁ ଫେରିଛନ୍ତି ପୋଲିସ । କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ଏକାଥରକେ ୯୫ ଜଣ ପୋଲିସ କର୍ମଚାରୀ ।

ପୋଲିସ ଡିଜି ଅଭୟ ଏସଂପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କରୋନା ସଂକଟ ସମୟରେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଥିବା ବେଳେ ଏମାନେ ସଂକ୍ରମିତ ହୋଇଥିଲେ । ସୁସ୍ଥ ହେବା ପରେ ପୁଣି ଡ୍ୟୁଟିରେ ଯୋଗଦେଇଛନ୍ତି । ସେମାନଙ୍କୁ ପୋଲିସ ଡିଜି ସାଧୁବାଦ ଜଣାଇଛନ୍ତି ।

ତେବେ ଜୁଲାଇରେ କରୋନା ସଂଖ୍ୟା ତୁହାକୁ ତୁହା ବଢ଼ିବାରେ ଲାଗିଛି । ଜୁଲାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର ହୋଇଛି । କେବଳ ଲୋକାଲ କଣ୍ଟାକ୍ଟ ୩ ହଜାର ପରେ ରହିଛି । ସୂଚନା ଅନୁଯାୟୀ ଆଗକୁ ଏହି ଜୁଲାଇ ଆହୁରି ୧୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇ ପାରନ୍ତି । ସେପଟେ ସୋମବାର ରାଜ୍ୟରେ ୨୩ ଜିଲ୍ଲାରୁ ୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୨୪ ଘଣ୍ଟା ମଧ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୧୧୦କୁ ବୃଦ୍ଧି ହୋଇଛି । ଏହା ସହ କରୋନା ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଦି ହୋଇଛି । ରାଜ୍ୟରେ ଆଜି ୬ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୬ ଓ ଲୋକାଲ୍ କେସ୍ ୨୨୭ଜଣ ସଂକ୍ରମିତ ହୋଇଛନ୍ତି ।   ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ କରୋନାରୁ ସୁସ୍ଥ ହେଲେ ମୟୁରଭଞ୍ଜ ଜିଲ୍ଲାର ପ୍ରଥମ କୋଭିଡ୍‌ ପୋଲିସ ଯୋଦ୍ଧା । କାମରେ ଯୋଗଦେବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାର ଜଣେ ହାବିଲଦାର ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଥାନାରେ ସ୍ୱାଗତ କରାଯାଇଛି । ଗତ ମେ’ ୨୧ ତାରିଖରେ ହାବିଲଦାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ସେ ଥାନାରେ ଯୋଗଦେଇଛନ୍ତି । ମୟୂରଭଞ୍ଜ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କ ମଙ୍ଗଳ କାମନା କରିଛନ୍ତି ।

Leave a Reply