ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା। କଂଗ୍ରେସର ସାଂସଦ, ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କୁ ଡିଲ୍ଲୀରୁ ଡାକରା ହୋଇଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଆସିଛି ଏହି ଡାକରା। ଏଥିପାଇଁ ଆଜି ଦିଲ୍ଲୀ ଯିବେ କଂଗ୍ରେସ ନେତା। ଆଉ ଇଣ୍ଡିଆ ମେଣ୍ଟ ଆନ୍ଦୋଳନରେ ସାମିଲ ହେବେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ଓଡ଼ିଶା କଂଗ୍ରେସ ନେତାମାନେ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି। ସେହିପରି କଂଗ୍ରେସର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ରଣନୀତି ବାବଦରେ ମଧ୍ୟ ଆଲୋଚନା ହୋଇପାରେ । ଏସ୍ଆଇଆର ଏବଂ ଭୋଟ୍ ଚୋରି ପ୍ରସଙ୍ଗ ନେଇ ଲଗାତାର ଭାବେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରିଆସୁଛି ଇଣ୍ଡିଆ ମେଣ୍ଟ । ଏଥିରେ ବିଭିନ୍ନ ଦଳର ନେତାମାନେ ସାମିଲ ହେଉଥିବା ବେଳେ ଏବେ ରାଜ୍ୟ କଂଗ୍ରେସର ନେତାମାନେ ମଧ୍ୟ ଏଥିରେ ଯୋଗ ଦେବାକୁ ଯାଉଛନ୍ତି । ଗୋଟେ ପଟେ ସିଜେପି ଏହାକୁ ନେଇ ପ୍ରତିବାଦ କରୁଥିବା ବେଳେ ଇଣ୍ଡିଆ ମେଣ୍ଟ ବି ଏହାକୁ ନେଇ ପ୍ରତିବାଦ ଜାରି ରଖିଛି । ତେଣୁ ଆଗକୁ ପ୍ରତିବାଦ ଆହୁରି ତୀବ୍ର ହୋଇପାରେ ବୋଲି କୁହାଯାଉଛି ।
ସେପଟେ ଦିଲ୍ଲୀ ଯନ୍ତରମନ୍ତରରେ ସିଜେପି ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଅତ୍ୟାଚାର ବିରୋଧରେ ସାରା ଦେଶରେ ବିକ୍ଷୋଭକୁ ଓହ୍ଲାଇଛି ଇଣ୍ଡି ମେଣ୍ଟ। ଏହି କ୍ରମରେ ଭୁବନେଶ୍ବରର ଲୋୟର ପିଏମଜିରେ ଇଣ୍ଡି ମେଣ୍ଟର ସଦସ୍ୟମାନେ ଆନ୍ଦୋଳନକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଇଣ୍ଡି ମେଣ୍ଟର ପ୍ରମୁଖ ସଦସ୍ୟ କଂଗ୍ରେସ ସମେତ ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଫରୱାର୍ଡ ବ୍ଲକ୍, ଆରଜେଡ଼ି ପ୍ରମୁଖ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବହିଷ୍କାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଇଣ୍ଡି ମେଣ୍ଟ ନେତା ।

