ଗାର୍ଲଫ୍ରେଣ୍ଡ ବାହାଘରକୁ ଯାଇନପାରି ଯୁବକଙ୍କ ଆତ୍ମହତ୍ୟା

ନୋଏଡା: ପ୍ରେମିକାର ବାହାଘରକୁ ଯିବାକୁ ଅନୁମତି ନମିଳିବାରୁ ପାଟିରେ ବିଦ୍ୟୁତ ତାର ପୂରାଇ ଯୁବକଙ୍କ ଆତ୍ମହତ୍ୟା । ଏମିତି ଘଟଣା ଘଟିଛି ନୋଏଡା ଅଞ୍ଚଳରେ । ଯୁବକଙ୍କୁ ତାଙ୍କ ଭିଣୋଇ ପ୍ରେମିକାର ବାହାଘରକୁ ଯିବାକୁ ଅନୁମତି ଦେଲେ ନାହିଁ ଓ ଯୁବକ ଉଧାର ମାଗିଥିବା ୧୦୦୦ ଟଙ୍କା ମଧ୍ୟ ଦେଲେ ନାହିଁ । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣଙ୍କ ଏମିତି ଆତ୍ମହତ୍ୟା କରିଛନ୍ତି ।

ଅଭିଯୋଗ ଅନୁସାରେ ନୋଏଡାର ସରଫାବାଦରେ ରହୁଥିବା ବିନୟ କୁମାର ତାଙ୍କ ପ୍ରେମିକାଙ୍କ ବାହାଘରରେ ଯୋଗ ଦେବାକୁ ଯିବାକୁ ଚାହିଁଥିଲେ । ହେଲେ ପାଖରେ ଟଙ୍କା ନଥିଲା । ଏଥିପାଇଁ ଶୁକ୍ରବାର ରାତିରେ ତାଙ୍କ ଭିଣୋଇଙ୍କୁ ଏକ ହଜାର ଟଙ୍କା ଉଧାର ମାଗିଥିଲେ । ହେଲେ ଭିଣୋଇ ତାଙ୍କୁ ଟଙ୍କା ଦେଇ ନଥିଲେ କି ବାହାଘରକୁ ଛାଡି ନଥିଲେ । ଫଳରେ ବିନୟ ପାଖରେ ଥିବା ଏକ ବିଦ୍ୟୁତ ତାରକୁ ପାଟିରେ ପୂରାଇ ସୁଇଚ୍ ଅନ୍ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ତଦନ୍ତରୁ ଜଣାପଡିଛି ପ୍ରେମିକାଙ୍କୁ ବାହା ହେବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିନୟ ବିଫଳ ହୋଇଥିଲେ । ଏହାକୁ ନେଇ ଦୁଃଚିନ୍ତାରେ ଥିଲେ । ଏହି ସମୟରେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କ ବାହାଘର ଅନ୍ୟତ୍ର ଠିକ କରିଦେଇଥିଲେ । ଯୁବତୀ ଜଣଙ୍କ ବିନୟଙ୍କୁ ତାଙ୍କ ବାହାଘରକୁ ଆସିବାକୁ ଆମନ୍ତ୍ରଣ କରିଥିଲେ । ବିନୟ ମଧ୍ୟ ସେଠାକୁ ଯିବାକୁ ମନ ସ୍ଥିର କରିଥିଲେ । ହେଲେ ପାଖରେ ଟଙ୍କା ନଥିବାରୁ ଭିଣୋଇଙ୍କ ପାଖକୁ ଉଧାର ଆଣିବାକୁ ଯାଇଥିଲେ ।