ମହିଳା ଆଇପିଏଲ୍ ଅକ୍ସନ ଜାରି: କେଉଁ ଖେଳାଳିଙ୍କୁ କେତେରେ କିଣିଲା କେଉଁ ଟିମ୍ ? ଜାଣନ୍ତୁ….

1 min read

ମୁମ୍ବାଇ: ମହିଳା ଆଇପିଏଲ ପାଇଁ ୫ ଟିମ ମଧ୍ୟରେ ୪୪୮ ଖେଳାଳିଙ୍କୁ ନେଇ ପ୍ରଥମଥର ପାଇଁ ନିଲାମୀ ପ୍ରକ୍ରିୟା ଚାଲିଛି । ମୁମ୍ବାଇର ଜିୟୋ ୱାର୍ଲଡ ସେଣ୍ଟରରେ ଏହି ନିଲାମୀ ଚାଲିଛି । ୫ ଟିମ୍ ମଧ୍ୟରେ ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ଅହମ୍ମଦାବାଦ ଏବଂ ଦିଲ୍ଲୀ ଟିମ୍ ସାମିଲ ରହିଛି । ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୫୦ ଲକ୍ଷର ବେସ ପ୍ରାଇସ ଥିବା ସ୍ଲଟରେ ୨୪ ଏବଂ ୪୦ ଲକ୍ଷର ସ୍ଲଟରେ ୩୦ ଖେଳାଳି ସାମିଲ ରହିଛନ୍ତି । ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧନାଙ୍କୁ ବେଙ୍ଗାଲୁରୁ ୩.୪୦ କୋଟି ଟଙ୍କାରେ କିଣିଛି । ବର୍ତ୍ତମାନ ସୁଦ୍ଧା ସେ ସବୁଠୁ ଦାମୀ ବ୍ୟାଟର ଭାବେ ଜଣାଯାଇଛନ୍ତି ।

ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି । ଅଷ୍ଟ୍ରେଲିଆର ଏଲିସେ ପେରିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧.୭ କୋଟି ଟଙ୍କାରେ କିଣିଛି । ବର୍ତ୍ତମାନ ସୁଦ୍ଧା ୪ ସେଟର ନିଲାମୀ ସରିଛି ଏବଂ ୫ମ ସେଟ୍ ଜାରି ରହିଛି । ୱିକେଟକିପର ବ୍ୟାଟ୍ସମ୍ୟାନ ୟସ୍ତିକା ଭାଟିୟାଙ୍କୁ ୧.୫ କୋଟି ଟଙ୍କାରେ ମୁମ୍ବାଇ କିଣିଛି । ସେହିପରି ରିଚା ଘୋଷଙ୍କୁ ଆରସିବି ୧.୯ କୋଟି ଟଙ୍କାରେ ନିଜ ଟିମରେ ସାମିଲ କରିଛି । ଏଲିସା ହିଲିଙ୍କୁ ୭୦ ଲକ୍ଷ ଟଙ୍କାରେ କିଣିଛି ୟୁପି । ଅକ୍ସନର ପ୍ରଥମ ୪ ସେଟରେ ଚାରି ଅନ୍ତର୍ଜାତୀୟ ଟିମର ଅଧିନାୟକ ଅନସୋଲ୍ଡ ରହିଥିଲେ ।

ଏଥିରେ ସାଉଥ ଆଫ୍ରିକାର ସୁନେ ଲୁସ, ଇଂଲଣ୍ଡର ହିଥର ନାଇଟ, ଶ୍ରୀଲଙ୍କାର ଚମାରୀ ଅଟାପଟ୍ଟୁ ଏବଂ ୱେଷ୍ଟଇଣ୍ଡିଜର ହେଲି ମାଥ୍ୟୁଜ ସାମିଲ ରହିଛନ୍ତି । ସେଟ-୪ରେ ୮ ଖେଳାଳିଙ୍କ ନାଁ ରହିଥିଲା । ଏଥିମଧ୍ୟରୁ ୪ ବିକ୍ରି ହୋଇଥିଲେ ଏବଂ ୪ ଅନସୋଲ୍ଡ ରହିଥିଲେ । ପୂଜା ବସ୍ତ୍ରକରଙ୍କୁ ୧.୯୦ କୋଟି ଟଙ୍କାରେ ମୁମ୍ବାଇ କିଣିଛି । ସେହିପରି ଅଷ୍ଟ୍ରେଲିଆର ଏନାବେଲ ସଦରଲ୍ୟାଣ୍ଡଙ୍କୁ ୭୦ ଲକ୍ଷ, ଭାରତର ହିରଲୀନ ଦେଓଲଙ୍କୁ ୪୦ ଲକ୍ଷ ଏବଂ ୱେଷ୍ଟଇଣ୍ଡିଜର ଡେଓଣ୍ଡ୍ରା ଡାଟିନଙ୍କୁ ୬୦ ଲକ୍ଷ ଟଙ୍କାରେ ଗୁଜୁରାଟ ଜିଆଣ୍ଟସ କିଣିଛି । ସେହିପରି ଏହି ସେଟରେ ଇଂଲଣ୍ଡର ହିଥର ନାଇଟ, ସାଉଥ ଆଫ୍ରିକାର ସୁନେ ଲୁସ, ଶ୍ରୀଲଙ୍କାର ଚମାରି ଅଟାପଟ୍ଟୁ ଏବଂ ଇଂଲଣ୍ଡର ଡ୍ୟାନି ୱାୟଟ ଅନସୋଲ୍ଡ ରହିଥିଲେ ।

ତୃତୀୟ ସେଟରେ ୮ ବ୍ୟାଟରଙ୍କ ନାଁ ସାମ୍ନାକୁ ଆସିଥିଲା । ଭାରତର ଜେମିମା ରୋଡ୍ରିଗ୍ସଙ୍କୁ ୨.୨୦ କୋଟି ଏବଂ ସେଫାଳି ବର୍ମାଙ୍କୁ ୨ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି । ଇଂଲଣ୍ଡର ସୋଫିୟା ଡଙ୍କଲିଙ୍କୁ ଗୁଜୁରାଟ ୬୦ ଲକ୍ଷ ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆର ଅଧିନାୟକ ମେଗ ଲେନିଙ୍ଗଙ୍କୁ ୧.୧୦ କୋଟି ଟଙ୍କାରେ ଦିଲ୍ଲୀ କିଣିଛି । ସେହିପରି ନ୍ୟୁଜିଲାଣ୍ଡର ସୁଜି ବେଟ୍ସ, ସାଉଥ ଆଫ୍ରିକାର ତାଜିମିନ ବ୍ରିଟସ ଏବଂ ଲାରା ୱାଲ୍ଭର୍ଟ ଓ ଇଲଂଣ୍ଡ ଦଳର ବ୍ୟୁମାଣ୍ଟ ଅନସୋଲ୍ଡ ରହିଥିଲେ । ଦ୍ୱିତୀୟ ସେଟର ସମସ୍ତ ଖେଳାଳିଙ୍କ ଉପରେ ଏକ କୋଟିରୁ ଅଧିକ ଟଙ୍କାର ବୋଲି ଲାଗିଥିଲା । ଭାରତର ଦିପ୍ତୀ ଶର୍ମାଙ୍କୁ ୟୁପି ୱାରିୟର୍ସ ୨.୬୦ କୋଟି ଟଙ୍କାରେ କିଣିଛି ।

ଭାରତର ରେଣୁକା ସିଂହଙ୍କୁ ଆରସିବି ୧.୫୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । ନେଟଲି ସିବର ବ୍ରଣ୍ଟଙ୍କୁ ମୁମ୍ବାଇ ୩.୨୦ କୋଟି ଟଙ୍କାରେ କିଣିଛି । ସେ ଇଂଲଣ୍ଡର ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି । ଅଷ୍ଟ୍ରେଲିଆର ତାହିଲିୟା ମ୍ୟାକଗ୍ରାଙ୍କୁ ୟୁପି ୪୦ ଲକ୍ଷ ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆର ବେଥ୍ ମୁନିଙ୍କୁ ଗୁଜୁରାଟ ୨ କୋଟି ଟଙ୍କାରେ ନିଜ ସହ ଯୋଡ଼ିଛି । ସାଉଥ ଆଫ୍ରିକାର ଶବନିମ ଇସ୍ମାଇଲଙ୍କୁ ୟୁପି ଏକ କୋଟି ଟଙ୍କାରେ କିଣିଛି । ସେହିପରି ନ୍ୟୁଜିଲାଣ୍ଡର ଅମିଲିୟା କେରଙ୍କୁ ମୁମ୍ବାଇ ଏକ କୋଟି ଟଙ୍କାରେ କିଣିଛି । ଆଇପିଏଲ ଅକ୍ସନର ପ୍ରଥମ ସେଟରେ ୭ ଖେଳାଳିଙ୍କ ଉପରେ ବୋଲି ଲାଗିଥିଲା । ଭାରତର ସ୍ମୃତି ମନ୍ଧନା ୩.୪୦ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ସାମିଲ ହୋଇଥିଲେ । ସେ ବର୍ତ୍ତମାନ ସୁଦ୍ଧା ସବୁଠୁ ମହଙ୍ଗା ଖେଳାଳି ଭାବେ ଜଣାଯାଇଛନ୍ତି ।