ଶିମିଳିପାଳରେ ଓ୍ବାର୍ଲ୍ଡ ବ୍ୟାଙ୍କ କରିବ ଗ୍ରୀନ ଏଜି ପ୍ରୋଜେକ୍ଟ

ଭୁବନେଶ୍ବର: ଗ୍ଲୋବାଲ ଓ୍ବାର୍ମିଂ ବିଶ୍ବ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଏବେ ବିଶ୍ବ ତାପାୟନ ରୋକିବାକୁ ତତ୍ପର ହୋଇଛି ବିଶ୍ବ ବ୍ୟାଙ୍କ । ଭାରତରେ ୫ଟି ଜାତୀୟ ଉଦ୍ୟାନରେ ଗ୍ରୀନ୍ ଏଜି ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି ଓ୍ବାର୍ଲ୍ଡ ବ୍ୟାଙ୍କ୍ । ଓଡ଼ିଶାର ଶିମିଳିପାଳ ଜୈବମଣ୍ଡଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଶିମିଳିପାଳ ପାଇଁ ବିଶ୍ବ ବ୍ୟାଙ୍କର ସ୍ପେଶାଲ ପ୍ୟାକେଜ୍ । ବଢିବ ଜାତୀୟ ଉଦ୍ୟାନର ଜୈବ ବିବିଧତା । କାର୍ଯ୍ୟକାରୀ ହେବ ଗ୍ରୀନ୍ ଏଜି ପ୍ରୋଜେକ୍ଟ । ଆହୁରି ଘଞ୍ଚ ହେବ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଜାତୀୟ ଉଦ୍ୟାନର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ବତନ୍ତ୍ର ସହାୟତା ଘୋଷଣା କରିଛି ଓ୍ବାର୍ଲ୍ଡ ବ୍ୟାଙ୍କ୍ । ଗ୍ଲୋବାଲ ଓ୍ବାର୍ମିଂକୁ ନଜରରେ ରଖି ବିଶ୍ବ ବ୍ୟାଙ୍କ ଗ୍ରୀନ୍ ଏଜି ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାକୁ ଯାଉଛି । ଏନେଇ ୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ବାରିପଦାରେ ଏକ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି ।

ଶିମିଳିପାଳ ଜୈବମଣ୍ଡଳର ଜୈବ ବିବିଧତା ବୃଦ୍ଧି ପାଇଁ ଏହି ପ୍ରକଳ୍ପରେ ୪ଟି ଦିଗ ଉପରେ ଗୁରୁତ୍ବ ଦିଆଯିବ । ଏଥିରେ ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ, ଜୀବଜନ୍ତୁଙ୍କ ସୁରକ୍ଷା ଓ ଅଭୟାରଣ୍ୟ ପାଦଦେଶରେ ରହୁଥିବା ଆଦିବାସୀଙ୍କ ଜୀବନ ଜୀବିକା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କର୍ମଶାଳାରେ ଆଲୋଚନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ।

ଭାରତରେ ଗ୍ରୀନ୍ ଏଜି ପ୍ରୋଜେକ୍ଟ ୫ଟି ଜୈବମଣ୍ଡଳରେ କାର୍ଯ୍ୟକାରୀ ହେବ । ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ମିଜୋରାମର ଜାତୀୟ ଉଦ୍ୟାନ ଏଥିରେ ରହିଛି ।