ଜଳାଶୟ ପୁନରୁଦ୍ଧାର ଓ ବର୍ଜ୍ୟ ଜଳ ପରିଚାଳନା ନେଇ ମୁକ୍ତା ପ୍ରଫେସନାଲଙ୍କୁ ଗୁରୁମନ୍ତ୍ର

1 min read

ଭୁବନେଶ୍ବର: ଜଳାଶୟ ପୁନରୁଦ୍ଧାର ଓ ବର୍ଜ୍ୟ ଜଳ ପରିଚାଳନା ଉପରେ ଗୁରୁତ୍ୱ । ଦିନିକିଆ କର୍ମଶାଳାରେ ମୁକ୍ତା ପ୍ରଫେସନାଲଙ୍କୁ ଗୁରୁମନ୍ତ୍ର । ଗତକାଲି ଅନୁଷ୍ଠିତ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ରସ୍ତରରେ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଓ ମାର୍ଗଦର୍ଶନ ପ୍ରଦାନ କରିବା ।

ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ସାରଦା ପଣ୍ଡା କାର୍ଯ୍ୟସୂଚୀ ସ୍ଥିର କରି ଲକ୍ଷ୍ୟ, ପ୍ରଗତି ଓ ସମ୍ଭାବ୍ୟ ପ୍ରତିବନ୍ଧକ ଆକଳନ ପାଇଁ ବିଚାର ବିମର୍ଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦକ୍ଷତା ଭିତ୍ତିକ କାର୍ଯ୍ୟ ପଦ୍ଧତି ଆଡକୁ ପରିବର୍ତ୍ତନ କରିବାକୁ ସେ ଆହ୍ୱାନ ଦେଇଥିଲେ । ମୁକ୍ତା ପ୍ରଫେସନାଲଙ୍କୁ ସେମାନଙ୍କ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା କୌଣସି ସମସ୍ୟାକୁ ଚିହ୍ନଟ କରିବା ଓ ସମାଧାନ କରିବାକୁ ଅନୁରୋଧ କରିଥିଲେ । ସେ କହିଲେ, ଆମେ 5T ଆଦେଶ ଅନୁଯାୟୀ ପରିବର୍ତ୍ତନଶୀଳ ସହରୀ ପଦକ୍ଷେପ ପାଇଁ କାର୍ଯ୍ୟ କରୁଛୁ । କାର୍ଯ୍ୟଦକ୍ଷତା ଭିତ୍ତିକ ପରିଚାଳନା, ଏସଏଚଜି ଓ ସିବିଓଙ୍କ ସହ ସମ୍ପୃକ୍ତି ଏବଂ ସହଯୋଗର ଆବଶ୍ୟକତା ରହିଛି । ଏଥିପାଇଁ ମୁକ୍ତା ପ୍ରଫେସନାଲମାନଙ୍କୁ ମୂଲ୍ୟବାନ ବୁଝାମଣା ଓ ମାର୍ଗଦର୍ଶନ ପ୍ରଦାନକୁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ବିଭାଗୀୟ ସ୍ବତନ୍ତ୍ର ସଚିବ ତଥା ଅମୃତ ଯୋଜନାର ମିଶନ ନିର୍ଦ୍ଦେଶିକା ସାଗରିକା ପଟ୍ଟନାୟକ ‘ଆମ ପୋଖରୀ’ ଯୋଜନା ସମ୍ପର୍କରେ କହିଥିଲେ । ଗତ ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୧୧୫ଟି ପୌରସଂସ୍ଥାର ପ୍ରାୟ ୨୦ ଜଳାଶୟ ପୁନରୁଦ୍ଧାର କରାଯିବ । ବର୍ତ୍ତମାନ ସୁଦ୍ଧା ୧୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬୫ଟି ଜଳାଶୟ ପାଇଁ ଡିପିଆରକୁ ସରକାର ଅନୁମୋଦନ କରିଛନ୍ତି ଓ ସହରାଞ୍ଚଳ ପରିବର୍ତ୍ତନ ପାଇଁ ରାଜ୍ୟର ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ମୁକ୍ତା ପ୍ରଫେସନାଲମାନଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଏସଡି ସଞ୍ଜୟ ପରମାଣିକ, ଅତିରିକ୍ତ ଶାସନ ସଚିବ ରବୀନ୍ଦ୍ର ସାହୁ, ଇଆଇସି ଓଡବ୍ଲ୍ୟୁଏସ୍ଏସବି ପ୍ରଶାନ୍ତ କୁମାର ମହାପାତ୍ର, ଡବ୍ଲ୍ୟୁଆରଆଇ ଉପଦେଷ୍ଟା ଇଂ ଦେବସୁନ୍ଦର ମହାପାତ୍ର, ଓଡ଼ିଶା ସହରାଞ୍ଚଳ ଏକାଡେମୀର ନିର୍ଦ୍ଦେଶକ ଡ. ଶାନ୍ତନୁ ରଥ ପ୍ରମୁଖ କାର୍ଯ୍ୟାନ୍ଵୟନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶତ ପ୍ରତିଶତ ଏମଏସଜି ଲିଙ୍କେଜ୍, ମୁକ୍ତାରେ ଜଳାଶୟ ନଥିବା, ମୁକ୍ତାରେ କୌଣସି ଭେଣ୍ଡିଂ ଜୋନ୍ ନଥିବା, ଏକବର୍ଷ ପାଇଁ ସୁବିଧାର ଶତ ପ୍ରତିଶତ ରକ୍ଷଣାବେକ୍ଷଣ, ଗୋଷ୍ଠୀ ଭିତ୍ତିକ ସଂଗଠନ (ସିବିଓ)କୁ ଆକଳନ ବାଣ୍ଟିବା ଓ ବୁଝାଇବା, ସିବିଓଙ୍କୁ ସହାୟତା ପ୍ରଦାନ, ଠିକ୍ ସମୟରେ ଦେୟ ପ୍ରଦାନ ଏବଂ ମୁକ୍ତା ଅଧୀନରେ ଶୂନ୍ୟ ସହନଶୀଳତା ଭଳି ହସ୍ତକ୍ଷେପଗୁଡ଼ିକର ଫଳପ୍ରଦତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କ ଅଭିଭାଷଣରେ ମୁକ୍ତା ପ୍ରଫେସନାଲଙ୍କ ଅଭିନବ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ବିଭିନ୍ନ ମାଧ୍ୟମରେ ସହରାଞ୍ଚଳର ଦକ୍ଷତା ଓ ସମ୍ବଳର ଉନ୍ନତି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ମୁକ୍ତା ହେଉଛି ସରକାରଙ୍କ ଅନ୍ୟତମ ଫ୍ଲାଗସିପ୍‍ କାର୍ଯ୍ୟକ୍ରମ । ଭବିଷ୍ୟତରେ ଉଚ୍ଚ ପ୍ରଦର୍ଶନ କରୁଥିବା ପେସାଦାରଙ୍କ ପାଇଁ ପୁରସ୍କାର ସଂରକ୍ଷିତ ରହିବ ଓ ଅଣ ପ୍ରଦର୍ଶନକାରୀଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଅଧିକାରୀ, ସମସ୍ତ ୧୧୪ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ମୁକ୍ତା ପ୍ରଫେସନାଲ୍ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀ ଓ ପରାମର୍ଶଦାତା ଯୋଗ ଦେଇଥିଲେ ।