ଘରୋଇ କଳିରୁ ଯୁବତୀଙ୍କ ଆତ୍ମାହୁତି ଉଦ୍ଯମ ! ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ ଘରୋଇ କଳିରୁ ଯୁବତୀଙ୍କ ଆତ୍ମାହୁତି ଉଦ୍ଯମ ଘଟଣା । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ୨୧ ବର୍ଷୀୟ ରାଣୀ ପ୍ରଧାନ । ଗତକାଲି ଘରୋଇ କଳିକୁ କେନ୍ଦ୍ର କରି ଯୁବତୀ ଜଣଙ୍କ କିରୋସିନି ଢାଳି ହୋଇ ନିଜକୁ ନିଆଁ ଲଗାଇଦେଇଥିଲେ । ଘରେ ନିଜକୁ ନିଆଁ ଲଗାଇ ଜଳୁଥିବା ଅବସ୍ଥାରେ ବ୍ଲକ କାର୍ଯ୍ଯାଳୟ ଆଗକୁ ଦୌଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ନିଆଁ ଲିଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି ।  ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ଯୁବତୀ ଆତ୍ମାହୁତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଯୁବତୀଙ୍କ ଘର ଆମ୍ବପୁଆ ଅଞ୍ଚଳରେ ହୋଇଥିବାବେଳେ କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଭଡ଼ା ଘରେ ରହୁଥିଲେ । ସେ ଗାନ୍ଧୀନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ଯାଳୟରେ ପାଠ ପଢୁଥିଲେ । ମଦ୍ଯପ ବାପାର ଅତ୍ଯାଚାର ସହି ନପାରି ସେ ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ସରିଲେ ଆତ୍ମହତ୍ଯାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।