ନନ୍ଦିଘୋଷ ବ୍ୟୁରୋ : ସହର ସାରା ଖାଲଖମା । କେଉଁଠି ଗାଡ଼ି ଭାଙ୍ଗୁଛି ତ କେଉଁଠି ପଡ଼ି ହାଡ଼ ଭାଙ୍ଗୁଛି । ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ପ୍ରଶାସନର ନିଘା ନାହିଁ । ରବିବାର ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ । ହେଲେ କଟକ ସହରର ଅଧିକାଂଶ ପ୍ରମୁଖ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ଲିଙ୍କରୋଡରୁ ବାଦାମବାଡି, ପ୍ରେସ ଛକରୁ ନୂଆପଡ଼ା, ଖାନନଗର ରିଙ୍ଗରୋଡ଼ରୁ ମଲାଚଣ୍ଡିଆ ଛକ, ବିଜୁ ପଟ୍ଟନାୟକ ପାର୍କରୁ ନରାଜ ରାସ୍ତା, ପାଲଟିଛି ମରଣଯନ୍ତା । ଖାଲଖମା ଯୋଗୁଁ ଛୋଟବଡ ଗାଡ଼ି ଏହି ରାସ୍ତାରେ ପଡ଼ିଉଠି ଯାଉଛନ୍ତି । ଅଧିକାଂଶ ସମୟରେ ଦୁର୍ଘଟମାର ଶିକାର ହେଉଛନ୍ତି ଲୋକେ । ଏଥିପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଲୋକେ ।
ଗଣେଶ ପୂଜା ସରିଥିବାବେଳେ ପରେ ପରେ ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ହେବ । ସହରରେ ଜମିବ ଭିଡ଼ । ହେଲେ ରାସ୍ତାକୁ ନେଇ ଚିନ୍ତାରେ ସହରବାସୀ । ସେପଟେ ମେୟର କହିଛନ୍ତି, ପାର୍ବଣର ଆରମ୍ଭରୁ ସବୁ ବିଭାଗକୁ ଡାକି ବୈଠକ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଖରାପ ହୋଇଛି । ଆର ଆଣ୍ଡ ବି, NHAI, ରେଳବାଇ ଓ KMC ନିଜ ନିଜ ରାସ୍ତା ସଜାଡିବା କାମ ଆରମ୍ଭ କରିଛନ୍ତି । ପୂଜା ପୂର୍ବରୁ ସବୁ ରାସ୍ତା ମରାମତି ସରିବ ।
ପୂଜା ପାଖେଇ ଆସୁଥିବାବେଳେ କାମ ଆରମ୍ଭ ହୋଇ ନଥିବାରୁ ଏହା କେବେ ସରିବ ତାକୁ ନେଇ ଚିନ୍ତାରେ ଲୋକେ ।….

