ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ, ହସିନାଙ୍କ ବିରୋଧରେ ୮୯ ମାମଲା

1 min read

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ । ଦାୟର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା । ତାଙ୍କ ବିରୋଧରେ ବର୍ତ୍ତମାନ ଆଉ ୫ଟି ନୂଆ ହତ୍ଯା ମାମଲା ରୁଜୁ ହୋଇଛି । ଫଳରେ ହସିନାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ସଂଖ୍ଯା ପହଞ୍ଚିଛି ୮୯ରେ । ଢାକ୍କାର ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି ।

ସାରା ଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଗତ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା । କୋଟା ବିରୋଧୀ ଆନ୍ଦୋଳନ ବେଳେ ୫ ଜଣଙ୍କୁ ହତ୍ଯା ଘଟଣାରେ ହସିନା, ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ଦଳର ସାଧାରଣ ସମ୍ପାଦକ ଓ ଅନ୍ଯ ୩୩୯ ଜଣଙ୍କ ବିରୋଧରେ ୫ଟି ହତ୍ଯା ମାମଲା ରୁଜୁ ହୋଇଛି । ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ୬୦୦ରୁ ଅଧିକ ଲୋକ ।

ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠିତ ହୋଇଛି ଅନ୍ତରୀଣ ସରକାର । ସେପଟେ ଆତଙ୍କବାଦୀ ସଂଗଠନ ହେଫାଜତ-ଇ-ଇସଲାମର ନେତା ମାମୁନୁଲ ହକଙ୍କ ସହ ୟୁନୁସଙ୍କ ସାକ୍ଷାତକୁ ନେଇ ବଢିଛି ବିବାଦ । ଏହି ଭେଟଘାଟ ବେଳେ ନିର୍ବାଚନ ସଂସ୍କାର ଓ ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ବଡକଥା ହେଉଛି ହେଫାଜତ-ଇ-ଇସଲାମ ସଂଗଠନ ଭାରତ ବିରୋଧରେ ସର୍ବଦା ମନ୍ତବ୍ଯ ଦେଇଆସୁଛି । ହସିନାଙ୍କ ରାଜତ୍ବ ସମୟରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ ମାମୁନୁଲ । ମାତ୍ର ହସିନା ସରକାରର ପତନ ପରେ ତାଙ୍କୁ ମୁକ୍ତି ଦିଆଯାଇଛି । ସେହିପରି ଦେଶର ସର୍ବବୃହତ ଇସଲାମିକ ପାର୍ଟି ତଥା ଭାରତ ବିରୋଧୀ ସଂଗଠନ ଜମାଏତ-ଇ-ଇସଲାମି ସଂଗଠନ ଉପରେ ଜାରି ହୋଇଥିବା ନିଷେଧାଦଶକୁ ହଟାଇ ନେଇଛନ୍ତି ସରକାର ।