ଦୁଇଟି ଚିତ୍ରର କାହାଣୀ, ଯାହାକୁ ଆମେରିକା ଭୁଲିବାକୁ ଚାହିଁବ

ଇତିହାସ ନିଜକୁ ଦୋହରାଏ ବୋଲି କୁହାଯାଏ । ଇତିହାସରୁ ଯିଏ ଶିକ୍ଷା ନିଏନି ସିଏ ପୁରୁଣା ଇତିହାସକୁ ଦୋହରାଏ । ଏକଥା ବହୁତ ଆଗରୁ ଜ୍ଞାନୀଗୁଣି କହିଯାଇଛନ୍ତି । ଏବେ ଆଫଗାନିସ୍ତାନରେ ଇତିହାସ ପୁଣି ନିଜକୁ ଦୋହରାଉଛି । ୨୦ ବର୍ଷ ପରେ ତାଲିବାନର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ସହିତ ଆଫଗାନିସ୍ତାନ ଯଦି ୨୦ ବର୍ଷ ପଛକୁ ଫେରିଯାଇଛି ତେବେ ଇତିହାସର ଏହି ଟ୍ରାଞ୍ଜିସନ ପିରିୟଡ ଆମେରିକାକୁ ୪୬ ବର୍ଷ ତଳର ଗୋଟିଏ ଘଟଣା ମନେ ପକାଇବାକୁ ବାଧ୍ୟ କରିଛି। କାବୁଲର ଆମେରିକା ଦୂତାବାସ ଉପରେ ହେଲିକପ୍ଟର ଓହ୍ଲାଇବାର ଫଟୋକୁ ୪୬ ବର୍ଷ ପୁରୁଣା ଆଉ ଗୋଟିଏ ଫଟୋ ସହିତ ତୁଳନା କରାଯାଉଛି । କ’ଣ ସେହି ଫଟୋ ?

ଆମେରିକା ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ନିଜ ସେନା ହଟାଇଲା ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ୪୬ ବର୍ଷ ତଳେ ଠିକ୍ ଆଫଗାନିସ୍ତାନରୁ ତରବରିଆ ହୋଇ ବାହାରିବା ଭଳି ଆମେରିକା ଭିଏତନାମ ଯୁଦ୍ଧରୁ ବାହାରିଥିଲା । ଆଉ ସେତେବେଳେ ବି ଆମେରିକାକୁ ତାଲିବାନ ଭଳି ଆଲୋଚନା ଟେବୁଲ ଉପରେ ଧୋକା ଦେଇଥିଲା କମ୍ୟୁନିଷ୍ଟ୍ ଉତ୍ତର ଭିଏତନାମ । ୨୦୨୦ରେ ଟ୍ରମ୍ପଙ୍କ ଅମଳରେ ଆମେରିକା ତାଲିବାନ ସହିତ ଆଲୋଚନା ଆରମ୍ଭ କରିଥିଲା । ତାଲିବାନ ହିଂସା କମ କରିବା ସହିତ ଆଫଗାନିସ୍ତାନ ସରକାର ସହିତ ଆଲୋଚନା କରିବାକୁ ରାଜି ହୋଇଥିଲା । କିନ୍ତୁ ବାଇଡେନ୍ ସେନା ପ୍ରତ୍ୟାହାର କରିବା କଥା କହିବା ମାତ୍ରେ ତାଲିବାନ ଆଲୋଚନା ବଦଳରେ ଯୁଦ୍ଧ ମୈଦାନକୁ ଓହ୍ଲାଇ ଆସିଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରିଥିଲା । ଶେଷରେ କାବୁଲ ପତନ ପରେ ଆମେରିକା ପାଇଁ ୪୬ ବର୍ଷର ପୁରୁଣା ଘା’ ପୁଣି ତାଜା ହୋଇଛି ।

କାବୁଲ ତାଲିବାନ ହାତକୁ ଯିବା ପରେ ଆମେରିକା ନିଜ ଦୂତାବାସ କର୍ମଚାରୀଙ୍କୁ ହଟାଇବା ପାଇଁ ୩ରୁ ୫ ହଜାର ସୈନିକ ମୁତ୍ତୟନ କରିଛି । ଦୂତାବାସ ଉପରେ ଏହାର ହେଲିକପ୍ଟର ମଧ୍ୟ ଓହ୍ଲାଇଥିଲା । ୪୬ ବର୍ଷ ତଳେ ଭିଏତନାମ ଯୁଦ୍ଧ ସମୟରେ ମଧ୍ୟ ଆମେରିକା ସାଇଗନ ସ୍ଥିତ ଦୂତାବାସ ଉପରେ ଠିକ୍ ଏହିଭଳି ହେଲିକପ୍ଟର ଓହ୍ଲାଇଥିଲା । ହେଲିକପ୍ଟର ଦ୍ୱାରା ସେତେବେଳେ ଆମେରିକା ୭ ହଜାର ଲୋକଙ୍କୁ ଉଦ୍ଧାର କରିଥିଲା । ଯେଉଁମାନଙ୍କ ମଧ୍ୟରୁ ୫ ହଜାର ୫ଶହ ଭିଏତନାମୀ ନାଗରିକ ଥିଲେ । ବାକି ଆମେରିକୀୟ କର୍ମଚାରୀ । ସୋସିଆଲ ମିଡିଆରେ ଏବେ କାବୁଲ ଓ ସାଇଗନ ଏୟାରଲିଫ୍ଟିଂର ଫଟୋ ଭାଇରଲ ହେଉଛି । ଫଟୋ ଭାଇରଲ କରି ଲୋକ କହୁଛନ୍ତି ଚୌଧୁରୀ ସାଜି ବିଶ୍ୱରେ ଦାଦାଗିରି କରୁଥିବା ଆମେରିକା ସେତେବେଳେ ଭିଏତନାମରୁ ଏମିତି ଲାଙ୍ଗୁଡ ଜାକି ପଳାୟନ କରିଥିଲା, ଆଉ ଏବେ କାବୁଲରୁ ମଧ୍ୟ ସେମିତି ପଳାୟନ କରୁଛି ।

ଏଇଠି ଆସନ୍ତୁ ଜାଣିବା ଭିଏତନାମ ଯୁଦ୍ଧ କ’ଣ ଥିଲା ।
ଭିଏତନାମ ଯୁଦ୍ଧ ୧୯୫୫ରୁ ୧୯୭୫ ପର୍ଯ୍ୟନ୍ତ ଚାଲିଥିଲା । ଦକ୍ଷୀଣ ଭିଏତନାମ ଉପରେ କମ୍ୟୁନିଷ୍ଟ ଉତ୍ତର ଭିଏତନାମ ଆକ୍ରମଣ ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଆମେରିକା ନିଜ ସହଯୋଗୀ ଦକ୍ଷୀଣ ଭିଏତନାମକୁ ସାହାଯ୍ୟ କରିବା ସହିତ ସୋଭିଏତ ଋଷକୁ ଚ୍ୟାଲେଂଜ୍ କରିବାକୁ ଯୁଦ୍ଧକୁ ଓହ୍ଲାଇଥିଲା । ୧୯୬୫ରେ ଆମେରିକା ଯୁଦ୍ଧରେ ଯୋଗ ଦେଇଥିଲା । ମୋଟ ୩ ଲକ୍ଷ ଆମେରିକୀୟ ସୈନିକ ଯୁଦ୍ଧରେ ଯୋଗ ଦେଇଥିଲେ । ୧୯୬୯ ରିଚାର୍ଡ ନିକ୍ସନ ରାଷ୍ଟ୍ରପତି ହେବା ପରେ ଭିଏତନାମରୁ ସେନା ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ପଡିଥିଲା । ଜାନୁଆରୀ ୧୯୭୪ରେ ଆମେରିକା ଉତ୍ତର ଭିଏତନାମ ସହିତ ଶାନ୍ତିଚୁକ୍ତି ସ୍ୱାକ୍ଷର କରିଥିଲା । ଏହାପରେ ସେଠାରୁ ଆମେରିକୀୟ ସୈନିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଆମେରିକା ଭିଏତନାମରୁ ହଟିବା ପରେ ଉତ୍ତର ଭିଏତନାମ ଚୁକ୍ତି ଭଙ୍ଗ କରି ଦ.ଭିଏତନାମ ଉପରେ ଆକ୍ରମଣ କରିଥିଲା । ସେତେବେଳକୁ ମାତ୍ର ଅଳ୍ପକିଛି ଆମେରିକୀୟ ସୈନିକ ସାଇଗନରେ ଥିଲେ । ନିଜ ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେରିକାକୁ ବାଧ୍ୟ ହୋଇ ଦୂତାବାସ ଛାତ ଉପରେ ହେଲିକପ୍ଟର ଓହ୍ଲାଇବାକୁ ପଡିଥିଲା । ଯେଉଁ ଅପରେସନର ନାଁ ଥିଲା ଅପରେସନ ଫ୍ରିକ୍ୱେଣ୍ଟ୍ ୱାଇଣ୍ଡ୍

ଏପ୍ରିଲ ୩୦, ୧୯୭୫ରେ ଉତ୍ତର ଭିଏତନାମୀ ସେନା ଦ.ଭିଏତନାମର ରାଜଧାନୀ ସାଇଗନ ଉପରେ କବଜା କରିଥିଲା । ୨୯ ଓ ୩୦ ଏପ୍ରିଲ ୧୯୭୫ରେ ଆମେରିକା ନିଜ ଦୂତାବାସ କର୍ମଚାରୀ ଓ ପୂର୍ବତନ ଦକ୍ଷୀଣ ଭିଏତନାମର କିଛି ଅଧିକାରୀ ଓ ସେମାନଙ୍କ ପରିବାରକୁ ସୁରକ୍ଷିତ ଫେରାଇ ନେବାକୁ ଦୂତାବାସ ଛାତ ଉପରେ ହେଲିକପ୍ଟର ଅବତରଣ କରିଥିଲା । ପ୍ରତି ୧୦ ମିନଟରେ ଥରେ ଗୋଟିଏ ହେଲିକପ୍ଟର ଛାତ ଉପରେ ଲ୍ୟାଣ୍ଡ୍ କରୁଥିଲା । ତେଣୁ ଏହାର ନାମ ଅପରେସନ ଫ୍ରିକ୍ୱେଣ୍ଟ୍ ୱାଇଣ୍ଡ୍ ଦିଆଯାଇଥିଲା । ଏହି ଅପରେସନ୍ ଜରିଆରେ ୭ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

Leave a Reply