ଆଠ ବର୍ଷ ମଧ୍ୟରେ ଥରୁଟିଏ ମଧ୍ୟ ନଷ୍ଟ ହୋଇନି ନିଶାଦ୍ରବ୍ୟ, ଜାଣନ୍ତୁ ପୁରା ପ୍ରସଙ୍ଗ ……

ରାଜ୍ୟରେ ଜବତ ହେଉଛି କୋଟି କୋଟି ଟଙ୍କାର ବ୍ରାଉନସୁଗାର । ତେବେ ଜବତ ହେଉଥିବା ବ୍ରାଉନସୁଗାର ରହୁଛି କେଉଁଠି ଓ ଯାଉଛି କୁଆଡେ ? ମାମଲା ଶେଷ ହେବା ପରେ ଏହାକୁ କରାଯାଉଛି କଣ ? ଏହାକୁ ନଷ୍ଟ କରିବା ପାଇଁ ଡ୍ରଗ୍ସ ଡିସ୍ପୋଜାଲ ଟିମ ଥିବାବେଳେ ଗତ ୮ ବର୍ଷରେ ଥରୁଟିଏ ମଧ୍ୟ ଏହାକୁ ନଷ୍ଟ କରାଯାଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ନିଶାଦ୍ରବ୍ୟ ନଷ୍ଟ କରିବା ପାଇଁ ସରକାର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ଗାଇଡଲାଇନ ଅନୁସାରେ ନୋଡାଲ ଅଫିସର ଭାବେ ଓଡିଶା ପୋଲିସରେ ଡିଏସ୍ପି ଓ କମିଶନରେଟ ପୋଲିସରେ ଏସିପି ନିଯ଼ୁକ୍ତ ହେବେ । ଡିସିପି ଓ ଏସପି ଏହି କମିଟିର ଚେୟାରମ୍ୟାନ ରହିବେ । ସଂପୃକ୍ତ ଜିଲ୍ଲାର କୋର୍ଟରେ ନିଶାଦ୍ରବ୍ୟକୁ ନେଇ କେଉଁ ମାମଲା ଚାଲିଛି ତାହାର ତାଲିକା ପ୍ରସ୍ତୁତ କରିବେ ।

ଏହାପରେ ସଂପୃକ୍ତ ଥାନାର ଥାନାଧିକାରୀ ନିଶାଦ୍ରବ୍ୟକୁ ନଷ୍ଟ କରିବା ଲାଗି କୋର୍ଟରେ ଆବେଦନ କରିବେ । ବିଚାରପତିଙ୍କ ସମ୍ମୁଖରେ ନିଶାଦ୍ରବ୍ୟର ଫଟୋ ନିଆଯାଇ ଏହାକୁ ସାର୍ଟିଫାଏ କରାଯିବା ପରେ ନମୁନା ସଂଗ୍ରହ କରାଯିବ । ଏହାପରେ କଡା ସୁରକ୍ଷା ବଳୟରେ ନିଶାଦ୍ରବ୍ୟକୁ ମାଲଖାନାରୁ ନିଆଯାଇ ନଷ୍ଟ କରାଯିବ । ଖୋର୍ଦ୍ଧା ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ତିନି ମାସ ମଧ୍ୟରେ କ୍ରାଇମବ୍ରାଞ୍ଚର ଏସଟିଏଫ, କମିସନରେଟ ପୋଲିସର କୁଇକ ଆକ୍ସନ ଟିମ, ସ୍ପେସାଲ ସ୍କ।ର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ କୋଟି କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଚାଲାଣ ବେଳେ  ପୋଲିସ ଏସବୁକୁ ଠାବ କରିବା ସହ ମାଷ୍ଟରମାଇଣ୍ଡକୁ ବି ଗିରଫ କରିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏଥିରେ ବାଧକ ସାଜିଛି କୋର୍ଟରେ ବିଚରାଧିନ ଥିବା ମାମଲା । ତେବେ ବର୍ଷ ବର୍ଷ ଧରି ମାମଲା କୋର୍ଟ ପରିସରଭୁକ୍ତ ଥିବାରୁ ନିଶାଦ୍ରବ୍ୟକୁ ନଷ୍ଟ କରାଯାଇ ପାରୁନଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ।

Leave a Reply