କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତରେ ପହଞ୍ଚିଲା ହ୍ୱାଟସଆପ୍

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଭାରତ ସରକାରଙ୍କ ନୂଆ ଆଇଟି ଆଇନ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ତ ହୋଇଛି । ନୂଆ ନିୟମ ଅନୁସାରେ ହ୍ୱାଟ୍ସଆପ୍ ଓ ଏହାଭଳି ଅନ୍ୟ ମେସେଜିଂ ଆପ କମ୍ପାନୀଙ୍କୁ ମେସେଜର ମୂଳଉତ୍ସ ବାବଦରେ ଜଣାଇବାକୁ ପଡିବ । ଅର୍ଥାତ ହ୍ୱାଟ୍ସଆପକୁ ଗୋଟିଏ ମେସେଜ ସର୍ବପ୍ରଥମେ କେଉଁଠାରୁ ପଠା ଯାଇଥିବା ତାହାର ସୂଚନା ରଖିବାକୁ ହେବ । ଏହି ନିୟମ ବିରୋଧରେ କମ୍ପାନୀ ମେ ୨୫ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛି ।
ରୟଟର୍ସ ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ ମୁଖପାତ୍ର କହିଛନ୍ତି ଯେ, କୌଣସି ଚାଟକୁ ଏଭଳି ଟ୍ରେସ୍ କରିବା ହ୍ୱାଟ୍ସଆପରେ ପଠାଯାଇଥିବା ସବୁ ମେସେଜ୍ ଉପରେ ନଜର ରଖିବା ଭଳି ହେବ । ଏହା ଦ୍ୱାରା ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପ୍ସନ ଲୋପ ପାଇଯିବ ଓ ଏହା ଲୋକଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ହେବ ।
ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ, ଆମେ କୌଣସି ସୂଚନା ପାଇଁ ସରକାରଙ୍କ ବୈଧ ଅନୁରୋଧର ଯବାବ ଦେବୁ । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ଭାରତ ସରକାରଙ୍କ ସହିତ ଆଲୋଚନା ଜାରି ରଖିବୁ ।
ନୂଆ ଆଇନ ଅନୁସାରେ ହ୍ୱାଟ୍ସଆପକୁ ସେହି ବ୍ୟକ୍ତିଙ୍କ ସୂଚନା ସରକାରଙ୍କୁ ଦେବାକୁ ପଡିବ ଯେଉଁମାନ ବେଆଇନ୍ କାର୍ଯ୍ୟ ପାଇଁ ହ୍ୱାଟ୍ସଆପକୁ ବ୍ୟବହାର କରୁଛନ୍ତି । ତେବେ କମ୍ପାନୀର କହିବା ହେଉଛି ଏମିତି କରି ହେବନାହିଁ କାରଣ ହ୍ୱାଟ୍ସଆପରେ ମେସେଜ୍ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପ୍ଟେଡ୍ । ଏଭଳି ସୂଚନା ଦେବାର ଅର୍ଥ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପ୍ସନର ଅନ୍ତ ।

ନୂଆ ନିୟମ କ’ଣ ?
ନୂଆ ଗାଇଡ୍ ଲାଇନ୍ ଅନୁସାରେ ଫେସବୁକ୍,ଟ୍ୱିଟର,ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଜଣେ ଅଭିଯୋଗ ଅଧିକାରୀ,ଜଣେ ମୁଖ୍ୟ ଅନୁପାଳନ ଅଧିକାରୀ ଓ ଜଣେ ନୋଡାଲ କଣ୍ଟାକ୍ଟ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପଡିବ । ଗାଇଡ୍ ଲାଇନର ଅନ୍ତିମ ତିଥି ଆଜି ଅର୍ଥାତ ୨୭ ମେ’ରେ ଶେଷ ହେଉଛି । ତେବେ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ଆଦେଶ ଅନୁସାରେ କୌଣସି ଗୋଟିଏ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏଭଳି ନିଯୁକ୍ତି କରିନାହାନ୍ତି । ଯଦି କମ୍ପାନୀ ଏହି ନିୟମକୁ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।
ନୂଆ ଆଇନ ଅନୁସାରେ ସୋସିଆଲ ମିଡିଆ ଆପ୍ ଉପରେ ନଜର ରଖିବାକୁ ଏକ କମିଟି ଗଠିତ ହେବ । ଏହି କମିଟିରେ ପ୍ରତିରକ୍ଷା,ବୈଦେଶିକ ବିଭାଗ,ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ,ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ଆଇନ,ସୂଚନା ପ୍ରଯୁକ୍ତି ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରତିନିଧି ସାମିଲ ଅଛନ୍ତି । ଆଚାରଣ ସଂହିତା ଉଲ୍ଲଂଘନ ସ୍ଥିତିରେ କମିଟି ଏହାର ଶୁଣାଣି କରିପାରିବ । ଏହା ମଧ୍ୟ ନିଜ ଆଡୁ ମାମଲା ରୁଜ୍ଜ କରିପାରିବ ।

ଏଥିସହିତ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ରହିବ

Leave a Reply