ନେଟ୍ ରନ ରେଟ୍ କ’ଣ ? କିପରି ହିସାବ କରାଯାଏ ନେଟ୍ ରନ ରେଟ୍, ଜାଣନ୍ତୁ…

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚରୁ ଚାରୋଟି ମ୍ୟାଚରେ ବିଜୟ ଲାଭ କରିଥିଲା ।  କିନ୍ତୁ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପରେ ସେମିଫାଇନାଲକୁ ଯାଇ ପାରିଲା ନାହିଁ । ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ, କିନ୍ତୁ ଏହା ହେଉଛି କ୍ରିକେଟ । ଏହା ହେଉଛି ନେଟ ରନ ରେଟର ଖେଳ । ଏହି ଟି-୨୦ ବିଶ୍ବକପରେ ନେଟ୍ ରନ ରେଟ ହାର ଉପରେ ଅନେକ ଆଲୋଚନ ହେଉଛି । ନେଟ ରନ ରେଟ୍ ଫଳରେ ଚଳିତ ବିଶ୍ବକପର ସେମିଫାଇନାଲକୁ ଯାଇ ପାରିନଥିଲା ଦକ୍ଷିଣ ଆଫ୍ରିକା । ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ଟପ୍-୪ରେ ନିଜର ସ୍ଥାନ ପକ୍କା କରିପାରିନଥିଲା ଦକ୍ଷିଣ ଆଫ୍ରିକା । ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର ପ୍ରତ୍ୟେକ ଆଠ ପଏଣ୍ଟ ହାସଲ କରିଥିଲେ । କିନ୍ତୁ ସେମିଫାଇନାଲ ପାଇଁ କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲକୁ ପ୍ରବେଶ କରିଥିଲେ । କାରଣ ଦକ୍ଷିଣ ଆଫ୍ରିକାର ନେଟ୍ ରନ ରେଟଠାରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ରନ ରେଟ୍ ଭଲ । ତେଣୁ ଏହି କାରଣରୁ ଚଳିତ ଟି-୨୦ ବିଶ୍ବକପରେ ନିଜର ଅଭିଯାନ ଶେଷ କରିଛି ଦକ୍ଷିଣ ଆଫ୍ରିକା । ତେବେ ଗ୍ରୁପ୍-୨ କଥା ଯଦି କହିବା ତାହାଲେ ଗ୍ରୁପ୍-୨ରେ ମଧ୍ୟ ସମାନ ପରିସ୍ଥିତି । ଗ୍ରୁପ୍-୨ରୁ ପାକିସ୍ତାନ ସେମିଫାଇନାଲର ଟିକେଟ ହାସଲ କରିସାରିଥିବାବେଳେ ଦ୍ବିତୀୟ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ, ଭାରତ ଓ ଆଫଗାନିସ୍ତାନ ମଧ୍ୟରୁ କିଏ ଯିବ ସେମିଫାଇନାଲକୁ ସେଥିପାଇଁ କଡ଼ା ଟକ୍କର ଦେଖିବାକୁ ମିଳୁଛି ।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ କି ନେଟ୍ ରନ ରେଟ କ’ଣ ପାଇଁ ବ୍ୟବହାର ହୁଏ ଓ କିପରି ଏହି ନେଟ୍ ରନ ରେଟ୍ ହିସାବ କରାଯାଏ । ଗ୍ରୁପ୍ ପର୍ଯ୍ୟାୟରେ ବିଭିନ୍ନ ଦଳଗୁଡିକ ଏକା ପଏଣ୍ଟରେ ଥିବାବେଳେ କେଉଁ ଦଳ ପ୍ରଥମ, ଦ୍ବିତୀୟ ସ୍ଥାନରେ ରହିବା ସେଥିପାଇଁ ନେଟ୍‌ ରନ ରେଟ ବ୍ୟବହୃତ ହୁଏ । ତେବେ କିପରି ଗଣନା କରାଯାଏ ଏହି ନେଟ ରନ ରେଟ ଆସନ୍ତୁ ଜାଣିବା ।

ନେଟ ରନ ରେଟ୍ = ମୋଟ ରନ ସ୍କୋର/ ମୋଟ ଓଭର ବୋଲିଂ – ମୋଟ ରନ ସ୍କୋର ବ୍ୟୟ/ ମୋଟ ଓଭର ବୋଲିଂ

ତେବେ ଆସନ୍ତୁ ଦେଖିବା ଚାରୋଟି ମ୍ୟାଚ ଖେଳିବା ପରେ କେତେ ଅଛି ଭାରତର ନେଟ୍ ରନ ରେଟ ଓ କିପରି ହିସାବ କରାଯାଇଛି । ଭାରତ ତା’ର ପ୍ରଥମ ଚାରୋଟି ମ୍ୟାଚରେ ରନ ସ୍କୋର କରିଛି ଯଥାକ୍ରମେ;

ପାକିସ୍ତାନ ବିପକ୍ଷରେ ୧୫୧/୭ – ୨୦ ଓଭର

ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୦/୭ – ୨୦ ଓଭର

ଆଫଗାନିସ୍ତାନ ବିପକ୍ଷରେ ୨୧୦/୨ – ୨୦ ଓଭର

ସ୍କଟଲାଣ୍ଡ ବିପକ୍ଷରେ ୮୯/୨ – ୬.୩ ଓଭର

ତେବେ ଭାରତ ଚଳିତ ବିଶ୍ବକପରେ ୬୬.୩ ଓଭରରେ ୫୬୦ ରନ ସଂଗ୍ରହ କରିଥିଲା । କିନ୍ତୁ ହିସାବ କରିବାକୁ ଏହାକୁ ୬୬.୫ ଓଭର ଲେଖାଯିବ ।

ଭାରତ ଦ୍ବାରା ମୋଟ ରନ ସ୍କୋର = ୫୬୦/୬୬.୫ = ୮.୪୨

ତେବେ ଭାରତ ବିପକ୍ଷରେ ଅନ୍ୟ ଦଳ କରିଥିବା ରନ ସ୍କୋର ହେଉଛି,

ପାକିସ୍ତାନ- ୧୫୨/୦ – ୧୭.୫ ଓଭର

ନ୍ୟୁଜିଲାଣ୍ଡ- ୧୧୧/୨ – ୧୪.୩ ଓଭର

ଆଫଗାନିସ୍ତାନ – ୧୪୪/୭ – ୨୦ ଓଭର

ସ୍କଟଲାଣ୍ଡ – ୮୫/୧୦ – ୧୭.୪ ଓଭର

ବିପକ୍ଷ ଦଳ ଭାରତ ସହ ମୋଟ ୭୨.୨ ଓଭରରେ ୪୯୨ ରନ କରିଛି । ତେବେ ହିସାବ ପାଇଁ ଏହାକୁ ୭୨.୩୩ ଓଭର ଲେଖାଯିବ ।

ବିପକ୍ଷ ଦଳ ମୋଟ ରନ କରିଛି – ୪୯୨/୭୨.୩୩ = ୬.୮୦୨

ତେବେ ଭାରତର ମୋଟ ରନ୍ ରେଟ ହେଉଛି ୮.୪୨୧ – ୬.୮୦୨ = ୧.୬୧୯

ଏହି ସ୍ଥିତିରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚରେ ଯଦି ନ୍ୟୁଜିଲାଣ୍ଡ ବିଜୟ ଲାଭ କରେ ତେବେ ଭାରତ ପାଇଁ ଏହି ରନ ରେଟ ଆଉ ଆବଶ୍ୟକତା ପଡ଼ିବ ନାହିଁ । କାହିଁକି ନା ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହ ସିଧାସଳଖ ସେମିଫାଇନାଲକୁ ଯିବ । କିନ୍ତୁ ଯଦି ଆଜିର ମ୍ୟାଚକୁ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଏହା ଅତ୍ୟନ୍ତ ରୋମାଞ୍ଚକର ହେବ । କାହିଁକି ନା ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ଭାରତ ପ୍ରତ୍ୟେକ ୬ ପଏଣ୍ଟ ପାଇବେ । ଏହା ପରେ ନେଟ୍ ରନ ରେଟ ଆଧାରରେ କେଉଁ ଦଳ ସେମିଫାଇନାଲକୁ ଯିବ ତାହା ସ୍ଥିର ହେବ ।

Leave a Reply