ସବୁଠି ଗୋଟିଏ ଉତ୍କଣ୍ଠା: ୨୦୨୪ରେ ରାଜ୍ୟବାସୀଙ୍କୁ କ’ଣ ଭେଟି ଦେବେ ରାଜ୍ୟ ସରକାର ?

1 min read

ଭୁବନେଶ୍ବର: ଡିସେମ୍ବରର କ୍ୟାଲେଣ୍ଡର ଯେତିକି ଓଲଟୁଛି ଉତ୍କଣ୍ଠାର ହାର୍ଟବିଟ୍ ସେତିକି ବଢୁଛି । କୁହାଯାଏ ଅନେକ ଆଶା ଆଉ ସମ୍ଭାବନାକୁ ନେଇ ଆସେ ନୂଆବର୍ଷ । ଆଉ ଦିନକ ପରେ ୨୦୨୩ ବିଦାୟ ନେଇ ଇତିହାସ କାନ୍ଥରେ ନିଜକୁ ସାମିଲ କରିବ । ନୂଆବର୍ଷର ଉତ୍ସାହ ଭିତରେ ଓଡ଼ିଶାବାସୀଙ୍କୁ କ’ଣ ଭେଟି ଦେବେ ରାଜ୍ୟ ସରକାର ? ବିକାଶକୁ ଜୋସ ଦେବାକୁ ଲୋକଙ୍କୁ କେଉଁ ଉପହାର ଭେଟି ଦେବେ ନବୀନ ସରକାର ତାକୁ ନେଇ ଏବେ ସବୁଠି ଆଲୋଚନା ।

୨୦୨୪ର ଉତ୍ସାହ ସାଥିରେ ରୂପାନ୍ତରଣର ଜୋସ୍ । ସ୍ବପ୍ନରୁ ବାସ୍ତବତାର ଯାତ୍ରା, ପ୍ରତିଶ୍ରୁତିରୁ ପରିପାଳନର ପ୍ରତୀକ୍ଷା । ନୂଆବର୍ଷ ସାଥିରେ ଓଡ଼ିଶା ଲେଖିବ ସମୃଦ୍ଧିର ନୂତନ କାହାଣୀ । ଜାନୁଆରୀରେ ହେବ ବିକାଶର ବର୍ଷା । ବର୍ଷ ଆରମ୍ଭ ଅର୍ଥାତ ଜାନୁଆରୀ ୧ ତାରିଖରୁ ହିଁ ପ୍ରଗତିର ପଥରେ ଲମ୍ବା ପାଦ ବଢାଇବ ନୂଆ ଓଡ଼ିଶା । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସରେ ଏହା ସର୍ବବୃହତ ନିବେଶ ହୋଇଥିବାବେଳେ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡ଼ିବ । ଯାହାକି ନବୀନ ସରକାରଙ୍କ କାମରେ ବିଶ୍ବାସ ନୀତିର ଆଉ ଏକ ଉଦାହରଣ ସାଜିବ ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶା ରୂପାନ୍ତରଣ ସର୍ବଶ୍ରେଷ୍ଠ ଉଦାହରଣ ସହ ବିଶ୍ବସ୍ତରୀୟ ଐତିହ୍ୟ କ୍ଷେତ୍ର ଭାବେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । ସାରା ଦେଶ ପୁରୀରେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଆରାଧନାରେ ନିମଗ୍ନ ହେବ । ଏହାଛଡ଼ା 5T ରୂପାନ୍ତରଣ ଓ ନବୀନ ସରକାରଙ୍କ ପ୍ରତିବଦ୍ଧତାକୁ ଅଙ୍ଗେ ନିଭାଇବେ ଓଡ଼ିଶାବାସୀ । ସେହିପରି ପଶ୍ଚିମ ଓଡ଼ିଶାର ଆରାଧ୍ୟଦେବୀ ମାଆ ସମଲେଇ ପୀଠର ନବକଳେବର ମଧ୍ୟ ବିକାଶର ବାର୍ତ୍ତାବହ ସାଜିବ । ସମଲେଇ ପ୍ରକଳ୍ପର ଲୋକାର୍ପଣ କରି ଆଧ୍ୟାତ୍ମିକତାର ନୂଆ ଏକ ଅଧ୍ୟାୟ ଲେଖିବେ ମୁଖ୍ୟମନ୍ତ୍ରୀ  । ଅନ୍ୟପଟେ ଭୁବନେଶ୍ବର ଛାତିରେ ରୂପାନ୍ତରଣର ନୂଆ ରୂପ ଦେଖାଇ ସଭିଙ୍କୁ ମନମୋହିବ ବରମୁଣ୍ଡା ବସ ଟର୍ମିନାଲ । ବିମାନବନ୍ଦର ଢାଞ୍ଚାରେ ନିର୍ମିତ ବିଶ୍ବସ୍ତରୀୟ ବସଷ୍ଟାଣ୍ଡକୁ ଲୋକାର୍ପିତ କରିବେ ଜନନାୟକ ନବୀନ ପଟ୍ଟନାୟକ ।

ଏତିକି ନୁହେଁ,  ୨୦୨୪ରେ ଆହୁରି ସମୃଦ୍ଧ ହେବ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି । ବିଶ୍ବରେ ଚମକିବ ଓଡିଆ ଅସ୍ମିତା । ସତ୍ୟବାଦୀରେ ପ୍ରତିଷ୍ଠିତ ସ୍ବପ୍ନର ପ୍ରୋଜେକ୍ଟ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକି ଓଡ଼ିଆ ଭାଷାର ଗବେଷଣା ପାଇଁ ଉତ୍କୃଷ୍ଟ ସ୍ଥାନ ସାଜିବା ସହ ସଭିଙ୍କୁ ଗୌରବ ଭେଟି ଦେବ । ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ପୂରା ବିଶ୍ବରେ ଓଡ଼ିଆ ଭାଷାକୁ ବ୍ରlଣ୍ଡିଂ କରିବାକୁ ରାଜ୍ୟ ସରକାର ଏଭଳି ଅଭିଯାନ ହାତକୁ ନେଇଛନ୍ତି ।

ସେହିପରି ଚାଷୀ ଓ ଚାଷର ଉନ୍ନତି ପାଇଁ ନବୀନ ସରକାରଙ୍କ ପ୍ରତିଶ୍ରୁତିର ପରିପାଳନ ଦେଖିବ ସାରା ରାଜ୍ୟ । ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ସେହିପରି ପୂରଣ ହେବ ବରଗଡ଼ ଜିଲ୍ଲାବାସୀଙ୍କ ସ୍ବପ୍ନ । ପାଇପ ଲାଇନ ଜଳସେଚନରେ ଦେଶର ସର୍ବବୃହତ ଜଳସେଚନ ପ୍ରକଳ୍ପ କୁହାଯାଉଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଏତିକି ନୁହେଁ, ୨୦୨୪ରେ ଆହୁରି ଅନେକ ବିକାଶର ଉପହାର ପାଇବେ ରାଜ୍ୟବାସୀ ।

ତାରିଖ ବଦଳେ, ନୂଆବର୍ଷ ପୁରୁଣା ହୁଏ । ଇଏ ତ କ୍ୟାଲେଣ୍ଡରର ପ୍ରକୃତି । ହେଲେ ଓଡ଼ିଶାବାସୀଙ୍କୁ ସବୁବେଳେ କିଛି ନୂଆ ଦେବାକୁ ଉଦ୍ୟମ କରିଥାନ୍ତି ରାଜ୍ୟ ସରକାର । ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଅହରହ ନୂଆ ଚିନ୍ତା କରନ୍ତି ମୁଖ୍ୟମନ୍ତ୍ରୀ । କେବଳ ନୂଆବର୍ଷରେ ନୁହେଁ, ନବୀନ ଓଡ଼ିଶା ସବୁବେଳେ ନୂଆ ।