କମୁଛି ହୀରାକୁଦ ଜଳସ୍ତର, ୨୮ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ କମୁଛି ଜଳସ୍ତର । ହୀରାକୁଦର ୨୮ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ । ବର୍ଷା ନାହିଁ କିନ୍ତୁ ବିପତ୍ତି ଯାଇନି । ବର୍ତ୍ତମାନ ୬୨୨.୬୦ ଫୁଟରେ ରହିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୬୪୭ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୬ ହଜାର ୯୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀରେ ମଧ୍ୟ କମୁଛି ଜଳସ୍ତର । ନଦୀମାନଙ୍କରେ ଜଳସ୍ତର କମୁଥିବାରୁ ରାଜ୍ୟରେ ବନ୍ୟା ଜଳ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ।

ଅନ୍ୟପକ୍ଷରେ ଆଜିଠୁ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ କାରଣରୁ ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେବା ନେଇ ଆକଳନ କରାଯାଇଛି । ଯଦି ସେତିକି ବର୍ଷା ହୁଏ ତେବେ ୫ ଲକ୍ଷରୁ ୫.୫୦ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ମହାନଦୀକୁ ଆସିବ । ଯାହାକୁ ମୁଣ୍ଡଳୀରେ ଏହି ଫ୍ଲୋ ୭ ରୁ ୮ ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରାଯିବ । ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ବିଶେଷ ଅସୁବିଧା ଆସିବ ନାହିଁ ।