ଓ୍ବାକଫ ଆଇନ୍ ସଂଶୋଧନକୁ ଓଡ଼ିଶାରେ ଜୋରଦାର ବିରୋଧ
ଭୁବନେଶ୍ବର: ଓ୍ବାକଫ୍ ଆଇନ ସଂଶୋଧନ ପ୍ରସ୍ତାବକୁ ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି । ଓଡ଼ିଶାରେ ପହଞ୍ଚିଥିବା ଯୁଗ୍ମ ସଂସଦୀୟ କମିଟି ଜେପିସି ପାଖରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ସେମାନଙ୍କ ମତ ରଖିଛନ୍ତି । ଅଧିକାଂଶ ମତ ସଂଶୋଧନ ବିପକ୍ଷରେ ଥିବା ବେଳେ ସପକ୍ଷରେ ବି ଅଳ୍ପ କିଛି ମତ ପ୍ରକାଶ ପାଇଛି । ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଜେପିସି ଦିନ ସାରା ବିଭିନ୍ନ ଅଞ୍ଚଳରୁ ଆସିଥିବା ଭିନ୍ନ ଭିନ୍ନ ସଙ୍ଗଠନ, ସରକାରୀ ଅଧିକାରୀ, ରାଜ୍ୟ ଓ୍ବାକଫ୍ ବୋର୍ଡ, ସଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ତିନି ମାସ ତଳେ ଓ୍ବାକଫ ବିଲ୍ ସଂଶୋଧନ ପ୍ରସ୍ତାବକୁ ଚାରିଆଡୁ ବିରୋଧ ହେବା ପରେ କେନ୍ଦ୍ର ସରକାର ସାଧାରଣ ଲୋକ ଓ ଓ୍ବାକଫ୍ ସହ ଜଡ଼ିତ ଅନୁଷ୍ଠାନର ମତାମତ ନେବା ପାଇଁ ଜେପିସି ଗଠନ କରିଥିଲେ ।
ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଜେପିସି ପାଖରେ ସପକ୍ଷବାଦୀ ଓ ବିପକ୍ଷବାଦୀ ରଖିଲେ ଯୁକ୍ତି । ସରକାରୀ ଅଧିକାରୀ, ସଂଖ୍ୟାଲଘୁ ସଂପ୍ରଦାୟ, ରାଜ୍ୟ ଓ୍ବାକଫ୍ ବୋର୍ଡ ସହ ବିସ୍ତୃତ ଆଲୋଚନା କରିଛନ୍ତି ଜେପିସି । ଓଡ଼ିଶାରେ ବିଭିନ୍ନ ସଂଗଠନ ସହ ଆଜି ଆଲୋଚନା ହୋଇଛି ବୋଲି ଜେପିସି ଅଧ୍ୟକ୍ଷ କହିଛନ୍ତି । ଦିଲ୍ଲୀରେ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସାଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ହାଇଦ୍ରାବାଦ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ଆସାମ, ଓଡିଶା ଭଳି ରାଜ୍ୟରେ ବୈଠକ ସରିଲାଣି । ଏହି ଅବସରରେ ସରକାର ଓ ବିଭିନ୍ନ ସଂଗଠନ ସହ ଆଲୋଚନା କରିଛୁ । ଗରିବ ମୁସଲମାନ, ମହିଳାଙ୍କୁ ଏହି ବୋର୍ଡ ମାଧ୍ୟମରେ ଅଧିକରୁ ଅଧିକ ସୁବିଧା ସୁଯୋଗ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ଯ ବୋଲି ଜେପିସି ଅଧ୍ଯକ୍ଷ ଜଗଦମ୍ବିକା ପାଲ କହିଛନ୍ତି । ଓ୍ବାକଫ୍ ଆଇନ ୧୯୯୫ରେ ୪୪ଟି ସଂଶୋଧନ ଆଣିବାକୁ କେନ୍ଦ୍ର ସରକାର ନୂଆ ବିଲ୍ ଆଣିଛନ୍ତି ।
ମୁସଲମାନ ସଂପ୍ରଦାୟରେ ଦାନକୁ ଓ୍ବାକଫ୍ ବୋଲି କହନ୍ତି । ଦାନରେ ଯେଉଁ ସମ୍ପତ୍ତି ମିଳେ, ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ଓ୍ବାକଫ୍ ବୋର୍ଡ ହାତରେ ରହିଥାଏ । ହେଲେ ଓ୍ବାକଫ୍ ବୋର୍ଡରେ ଥିବା ସମ୍ପତ୍ତି ଜବରଦଖଲ ହେଉଛି ବୋଲି ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଏହାର ସଂଶୋଧନ ଚାହୁଁଛନ୍ତି । ତେବେ ଏଭଳି ସଂଶୋଧନ ପଛରେ ରାଜନୀତିର ଗନ୍ଧ ବାରି ହେଉଛି ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି । ଓ୍ବାକଫ୍ ଆଇନ ସଂଶୋଧନ ଆଳରେ ମୁସଲିମ ସଂପ୍ରଦାୟର ଅଧିକାର, କର୍ତ୍ତବ୍ୟ ଉପରେ ଅଙ୍କୁଶ ଲଗାଯାଉଥିବା ଅନେକ ଆଶଙ୍କା କରିଛନ୍ତି । ତେଣୁ ବିଭିନ୍ନ ସଂଖ୍ୟାଲଘୁ ସଙ୍ଗଠନ ଏହାକୁ ପ୍ରବଳ ବିରୋଧ କରିଛନ୍ତି ।
ଯୁଗ୍ମ ସଂସଦୀୟ କମିଟି ୩ ମାସ ହେବ ବିଭିନ୍ନ ସଂଗଠନର ମତାମତ ଗ୍ରହଣ କରୁଛି। ବିଭିନ୍ନ ଫୋରମରୁ ପ୍ରାୟ ୯୫ ଲକ୍ଷ ୮୬ ହଜାର ଚିଠି ଆସିଛି । ୩ ମାସ ମଧ୍ୟରେ ୨୫ଟି ବୈଠକ ହୋଇସାରିଲାଣି । ଆସନ୍ତା ଅଧିବେଶନରେ ଜେପିସି ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଓ୍ବାକଫ ସଂଶୋଧନ ପ୍ରସ୍ତାବକୁ ମୂଳରୁ ବିରୋଧ କରିଆସୁଛି ବିଜୁ ଜନତା ଦଳ।