ପୁଟିନଙ୍କ ଆଉ ଜଣେ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ, ୧୬ ମହଲାରୁ ଖସି ପଡ଼ିଲେ ମାରିନା ୟାଙ୍କିନା

1 min read

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ । ନିଜ ଆପାର୍ଟମେଣ୍ଟ ବିଲ୍ଡିଂରୁ ଖସିପଡ଼ି ମାରିନା ୟାଙ୍କିନାଙ୍କ ମୃତ୍ୟୁ ହୋଇଛି । ମାରିନା ଋଷ ପ୍ରତିରକ୍ଷା ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବାର ଦାୟିତ୍ବ ତାଙ୍କ ଉପରେ ରହିଥିଲା । ସେଣ୍ଟ ପିଟର୍ସବର୍ଗରେ ରହୁଥିବା ଆପାର୍ଟମେଣ୍ଟର ୧୬ତମ ମହଲାର ଝରକାରୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ମାରିନା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ମାରିନା ୟାଙ୍କିନାଙ୍କ ବୟସ ୫୮ ବର୍ଷ । ତାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ ।

ମାରିନା ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଫୋନ୍ କଲ କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ତନାଘନା ଚଳାଇଛି ପୋଲିସ । ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପୁଟିନଙ୍କ ଅନେକ ନିକଟତମ ବ୍ୟକ୍ତିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ଗତବର୍ଷ ଡିସେମ୍ବରରେ ରାୟଗଡ଼ା ଗସ୍ତରେ ଆସିଥିବା ରୁଷର ଦୁଇ ପର୍ଯ୍ୟଟକ ଭ୍ଲାଦିମିର ବିଦେନୋଭ ଓ ପାଭେଲ୍ ଆନ୍ତୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଥିଲା । ପାଭେଲ୍ ଋଷର ସାଂସଦ ଥିଲେ । ସେ ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ହୋଟେଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।