ବେମାରୀ କରୁଛି ଭ୍ଲାଦିମିର ପୁଟିନଙ୍କୁ କଲବଲ

1 min read

କିଭ୍: ୨୦ ଦିନରେ ସଂଘର୍ଷ। ଚାରିଆଡେ ହାହାକାର। ଗର୍ଜୁଛି ଋଷ ଟ୍ୟାଙ୍କ। ଘନ ଘନ ମିସାଇଲ, ବୋମା ମାଡରେ ବିଧ୍ୱଂସ ହୋଇଛି ୟୁକ୍ରେନ। ୟୁକ୍ରେନ ଅକ୍ତିଆର ପାଇଁ ଆକ୍ରମଣକୁ ଆହୁରି ଜୋରଦାର କରିଛି ଋଷ । ଖାରକିବ ଓ କିବରେ ବର୍ଷୁଛି ମିସାଇଲ । ବିସ୍ଫୋରଣ ଶବ୍ଦରେ ଥରୁଛି ୟୁକ୍ରେନ। ତେବେ ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲଦମିର ପୁଟିନଙ୍କୁ ନେଇ ଆସିଛି ଏକ ସାଙ୍ଘାତିକ ଖବର। କ୍ୟାନସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ପୁଟିନ୍ । ପେଣ୍ଟାଗନ୍ ଏବଂ ୟୁକ୍ରେନ୍ର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୁଟିନ ବର୍ତ୍ତମାନ ଅନ୍ତନଳୀ କର୍କଟ ସହିତ ଲଢ଼ୁଛନ୍ତି। ସୂଚନା ମୁତାବକ କିଛି ମାସ ହେବ ପୁଟିନଙ୍କ ମୁହଁ ଓ ବେକ ଫୁଲା ଫୁଲା ଦେଖାଯାଉଛି। ଯାହାକି ଏହି କଥାର ପ୍ରମାଣ ଦେଉଛି ଯେ ସେ କ୍ୟାନସରରୁ ସୁସ୍ଥ ହେବା ପାଇଁ କେମୋଥେରାପି କିମ୍ବା ଷ୍ଟେରଏଡ ନେଉଛନ୍ତି।

ରୋଗ ପୁଟିନଙ୍କୁ କରୁଛି ଆକ୍ରମକ

ଆମେରିକା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ କାନାଡା ୫ଟି ଦେଶର ଗୁଇନ୍ଦା ବିଭାଗର ସଂଗଠନ 5 eyes ମୁତାବକ ଭ୍ଲାଦିମିର ପୁଟିନ କର୍କଟ ଭଳି ସାଂଘାତିକ ରୋଗର ଶିକାର, ଯେଉଁଥିପାଇଁ ସେ ଦୀର୍ଘ ସମୟ ଧରି ନିଜର ଷ୍ଟେରଏଡ ଚିକିତ୍ସା କରାଉଛନ୍ତି। ଯେଉଁଥିପାଇଁ ତାଙ୍କ ମାନସିକ ଶନ୍ତୁଳନ ପ୍ରଭାବିତ ହେଉଛି। ଆଉ ଏହି ମାନସିକ ଅସନ୍ତୁଳନ ବର୍ତ୍ତମାନ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। କାରଣ ଏପରି ପରିସ୍ଥିତିରେ ପୁଟିନ ବର୍ତ୍ତମାନ ଯୁଦ୍ଧରେ କୌଣସି ବି ସ୍ତରକୁ ଯାଇପାରନ୍ତି । ଏହି ରୋଗ ତାଙ୍କୁ ଆହୁରି ଆକ୍ରମକ ବନାଉଛି। ଏକ ସମୟରେ ପୁଟିନଙ୍କ ସହ ଟ୍ରେନିଂ ନେଉଥିବା ଜଣେ ପୂର୍ବ ମହିଳା ଗୁପ୍ତଚର ମଧ୍ୟ ଏହି ଭଳି କିଛି ତଥ୍ୟ ଦେଇଛନ୍ତି । ସେ ମଧ୍ୟ କହିଛନ୍ତି ଯେ  ପୁଟିନ ପ୍ରକୃତରେ ୟୁକ୍ରେନକୁ ଦଖଲ କରିବାକୁ ଓ ତାକୁ ଷିକ୍ଷା ଦେବା ପାଇଁ କିଛି ବି କରିପାରନ୍ତି କୌଣସି ବି ସ୍ତରକୁ ଯାଇପାରନ୍ତି।

ବଦଳିଗଲାଣି ପୁଟିନଙ୍କ ଚେହେରା

ବ୍ରିଟିଶର ପୂର୍ବତନ ବୈଦେଶିକ ସଚିବ ଡକ୍ଟର ଲର୍ଡ ଓଭେନ କହିଛନ୍ତି ଯେ ଭ୍ଲାଡିମିର ପୁଟିନ ବୋଧହୁଏ ମସଲ ବୁଷ୍ଟିଂ ଡ୍ରଗ୍ସ (Muscle Boosting Drugs) ନେଉଛନ୍ତି । ଯେଉଁଥିପାଇଁ ତାଙ୍କ ଚେହେରା ପୂର୍ବ ଅପେକ୍ଷା ବଦଳିଯାଇଛି। ତାଙ୍କ ଚେହେରା ପୁରା ଫୁଲିଯାଇଛି । ପୂର୍ବରୁ ଯେତେବେଳେ ତାଙ୍କୁ ଦେଖାଯାଇଥିଲା ତାଙ୍କ ଚେହେରା ପତଳା ଥିଲା। ଷ୍ଟେରଏଡ ଯୋଗୁଁ ଏହି ପରିବର୍ତ୍ତନ ଆସିଥାଇପାରେ। ଓଭେନ ଏହା ମଧ୍ୟ କହିଛନ୍ତି ଯେ ପୁଟିନ ସମ୍ଭବତଃ ବଡି ବିଲଡର ହେବା ପାଇଁ ଆନାବୋଲିକ୍ ଷ୍ଟେରଏଡ ବ୍ୟବହାର କରନ୍ତି।  ଏହା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ ଏବଂ ବ୍ୟକ୍ତିଙ୍କ COVID ସଂକ୍ରମିତ ହେବାର ଆଶଂକା ବଢ଼ାଇଥାଏ। ଏଥିପାଇଁ ସେ ନିଜକୁ ସମସ୍ତଙ୍କଠୁ ଦୂରେଇ ମଧ୍ୟ ରଖିଛନ୍ତି

ପୃଥକବାସ ବିଗାଡ଼ୁଛି ମାନିସିକ ସନ୍ତୁଳନ

Five Eyeର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ କହିଛନ୍ତି ଯେ ପୁଟିନଙ୍କ ଅସୁସ୍ଥତା ଏବଂ ସେଥିରୁ ଉତ୍ପନ୍ନ ହୋଇଥିବା ଫିଜିକାଲ ଓ ମେଣ୍ଟାଲ କମ୍ପ୍ଲିକେଶନ ହେତୁ ସେ ୟୁକ୍ରେନ ଉପରେ ଆକ୍ରମଣ ଭଳି ସାଂଘାତିକ ନିଷ୍ପତ୍ତି ନେଇଛନ୍ତି। ଏହା ଏକମାତ୍ର ଘଟଣା ନୁହେଁ, ନିକଟ ଅତୀତରେ ଗୁପ୍ତଚରମାନେ ପୁଟିନଙ୍କ ଆଚରଣ ଏବଂ ବଡି ଲାଙ୍ଗୁଏଜ ଉପରେ ତୀକ୍ଷ୍ଣ ନଜର ରଖିଥିବା ଗୁପ୍ତଚରମାନେ କହିଛନ୍ତି ଯେ ୬୯ ବର୍ଷିୟ ଭ୍ଲାଦମିର ପୁଟିନଙ୍କ ଆଚରଣ ଦିନକୁ ଦିନ ଅଜବ ଏବଂ ଅପ୍ରତ୍ୟାଶିତ ହୋଇପଡିଛି। ସେ ଯେ କୌଣସି ସମୟରେ କିଛି କରିପାରିବେ। ଏବଂ ତାଙ୍କର ଅସୁସ୍ଥତାର ଏହି ପାର୍ଶ୍ୱ ପ୍ରତିକ୍ରିୟା ତାଙ୍କ ମୁହଁରେ ଏବଂ ଶରୀରର ଅନ୍ୟ ଅଂଶରେ ମଧ୍ୟ ଦେଖାଯାଉଛି । ଆଉ ଏଥିପାଇଁ ସେ ଗତ କିଛି ମାସହେଲା ଲୋକଙ୍କୁ ଭେଟିବା ଠାରୁ ନିଜକୁ ଦୂରେଇ ରଖିଛନ୍ତି। କହିବାକୁ ଗଲେ ସେ ଏକପ୍ରାକରର ପୃଥକବାସରେ ରହିଛନ୍ତି । ଯାହାକି ତାଙ୍କ ମାନସିକ ସନ୍ତୁଳନକୁ ଆହୁରି ବିଗାଡ଼ୁଛି।

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ଖବର ସାମ୍ନାକୁ ଆସିଛି। ପୂର୍ବରୁ ମଧ୍ୟ ଦାବି ଆସିଥିଲା ଯେ ପୁଟିନଙ୍କୁ ପାର୍କିନସନ୍ସ କିମ୍ବା ସାଇକୋ ନ୍ୟୁରୋଲୋଜିକଲ ସମସ୍ୟା ରହିଛି। କେବଳ ଏତିକି ନହେଁ ତାଙ୍କର ସର୍ଜରି ହେବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା।