ବିରାଟ କୋହଲି ‘ଲଷ୍ଟ ହିଜ୍ ଫର୍ମ’

ନୂଆଦିଲ୍ଲୀ: ବିରାଟ କୋହଲି କହିଲେ କେବଳ ନାଁ ହିଁ ଯଥେଷ୍ଟ । ବହୁ ମ୍ୟାଚରେ ଶତକ କରିବା ସହ ମ୍ୟାଚ୍ ଜିତି ଥିବାରୁ ତାଙ୍କୁ ସଚିନଙ୍କଠାରୁ ବଡ଼ ବ୍ୟାଟସମ୍ୟାନ୍ ବୋଲି ଭାବନ୍ତି । ହେଲେ ଏବେ କାହିଁକି ବିରାଟ ଭଲ ଖେଳି ପାରୁନାହାନ୍ତି? ତାଙ୍କ ଫ୍ୟାନମାନେ ଏବେ ତାଙ୍କ ଫର୍ମକୁ ନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଶହେରୁ ଅଧିକ ମ୍ୟାଚ ଗଲାଣି ହେଲେ କୋହଲି ଆଉ ଆଗଭଳି ଶତକ କରିପାରୁନାହାନ୍ତି ।

ଆଉ ଏବେ ଆଇପିଏଲରେ ତାଙ୍କ ପ୍ରଦର୍ଶନ କଥା ନ କହିବା ଭଲ । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନଙ୍କୁ ସେ ନିରାଶ କରିଚାଲିଛନ୍ତି । ଆଉ କେବେ ତାଙ୍କ ବ୍ୟାଟରୁ ଶତକ ହେବ ତାକୁ ସମସ୍ତେ ଚାହିଁ ବସିଛନ୍ତି ।

ନିକଟରେ ବିରାଟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ । ସବୁବେଳେ ମାନସିକ ଦୃଢ଼ତା ଭଳି ନଜର ଆସୁଥିବା ବିରାଟ ଏଥିରେ କିନ୍ତୁ ଭତରୁ ଭାଙ୍ଗି ପଡ଼ିଥିବା ସ୍ପଷ୍ଟ ବାରି ହେଇପଡ଼ୁଥିଲା ।

ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଶୁଣିଛି ଆପଣଙ୍କର ପୋଷା ଜୀବଜନ୍ତୁ ପ୍ରିୟ ବୋଲି । ଘରେ କେତୋଟି ଜୀବଜନ୍ତୁ ଅଛନ୍ତି ? କୋହଲି କହିଥିଲେ ସେମାନଙ୍କ ଯତ୍ନ ନେବାକୁ ସମୟ ହେଉନି ସେଥିପାଇଁ ରଖିନାହିଁ । ପ୍ରଶ୍ନକର୍ତ୍ତା ଆହୁରି ଚାଲାଖ ହୋଇ ପ୍ରଶ୍ନ ପଚାରିଥିଲେ । ସେ ପଚାରିଲେ ଯେ, ଆପଣ ଏଇ କିଛିଦିନ ହେଲା ଦୁଇଟା ବତକ ରଖିଛନ୍ତି? ବିରାଟ ହାତ ପାପୁଲିରେ ନିଜ ମୁହଁ ଲୁଚାଇ ହସିବାକୁ ଲାଗିଲେ । ଏହାପରେ ପ୍ରଶ୍ନକର୍ତ୍ତାଙ୍କ ସହ ସେ ଗୀତ ଗାଇଥିଲେ । ଗୀତରେ ଗୋଟିଏ ପଦ ଥିଲା ‘ବିରାଟ କୋହଲି ଲଷ୍ଟ ହିଜ୍ ଫର୍ମ’ ।

ଏହାପରେ ପ୍ରଶ୍ନ ଥିଲା ଏପରି ଦୁର୍ବଳ ଫର୍ମ ସମୟରେ ସାଥି ଖେଳାଳି ସହଯୋଗ କରୁଛନ୍ତି ନା ନାହିଁ?  ବିରାଟ କହିଥିଲେ ମୋ ଦାୟିତ୍ବ ଅନ୍ୟ କେହି ତୁଲାଇବା ସମ୍ଭବ ନୁହେଁ । ଜୀବନର ଏହି ମୁହୂର୍ତ୍ତ ସବୁକୁ ମୋତେ ହିଁ ଯୁଝିବାକୁ ପଡ଼ିବ । ମୋ କ୍ୟାରିୟରରେ ଅନେକ ଭଲ କଥା ଘଟିଛି ଏବେ ଖରାପ କଥାଗୁଡ଼ିକର ପାଳି ପଡ଼ିଛି । ଏବେ ଗଣମାଧ୍ୟମରେ ଦିଆଯାଉଥିବା ମନ୍ତବ୍ୟଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଛି ।

ଏହାପରେ ପ୍ରଶ୍ନକର୍ତ୍ତା ବିରାଟଙ୍କୁ ସ୍ବାଧିନତା ମାନେ କ’ଣ ତାହାର ଏକ ଚିତ୍ର ଆଙ୍କିବାକୁ ଏକ ପେପର ଦେଲେ । ଏବଂ ପ୍ରଶ୍ନକର୍ତ୍ତା ନିଜେ ମଧ୍ୟ ଏକ ପେପରରେ ଚିତ୍ର କଲେ । ପ୍ରଶ୍ନକର୍ତ୍ତା ପେପରରେ ଏକ ବିଶାଳ ଧନରାଶିକୁ ଅଙ୍କରେ ଲେଖିଥିଲାବେଳେ ବିରାଟ ପାହାଡ଼ର ଚିତ୍ର ଆଙ୍କିଥିଲେ, ସେଥିରେ ଥିଲା ପାହାଡ, ପାହାଡ ତଳେ ଝରଣା । ଝରଣା ପାଖରେ ଛୋଟିଆ ଘର ଏବଂ ସେଇଠି ନିଜେ ବିରାଟ, ପତ୍ନୀ ଅନୁଷ୍କା ଏବଂ ତାଙ୍କ କନ୍ୟା ରହୁଥିବାର ଚିତ୍ର ଥିଲା।