ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କେନ୍ଦୁଝର ସରକାରୀ ବାସଭବନ ସମେତ ଭୁବେନେଶ୍ୱରସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରାଯାଉଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି ।

କେନ୍ଦୁଝରରେ ଥିବା ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା  ବାସଭବନ, ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡା ଜେଲ ପୁରୁଣା କ୍ୱାର୍ଟର୍ସ, ଭଦ୍ରକରେ ଥିବା ପୈତୃକ ଘରେ ଚଢ଼ାଉ ହେଉଛି । ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଭୁବନେଶ୍ଵର ଝାରପଡ଼ାରେ ୪ ମହଲା ବିଶିଷ୍ଟ କୋଠା, ୩୩୦୦ ବର୍ଗ ଫୁଟର କୋଠାର ଦାମ ପ୍ରାୟ ଦେଢ଼ କୋଟି ଟଙ୍କା । ଭୁବନେଶ୍ଵର, ବଲାଙ୍ଗୀର, ଢେଙ୍କାନାଳରେ ମୂଲ୍ୟବାନ ଘର ଡିହ ପ୍ଲଟ, ଭୁବନେଶ୍ଵର ଧଉଳିରେ ପ୍ଲଟ, ବଲାଙ୍ଗୀରରେ ୨ଟି ପ୍ଲଟ, ଢେଙ୍କାନାଳ ମହିଷାପାଟରେ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ଏହାସହ ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମାର ଆକଳନ ଚାଲିଛି । ଏବେ ବି ଚଢ଼ାଉ ଚାଲିଛି ।

୨୦୦୧ରେ କୁଚିଣ୍ଡା ସବ୍ ଜେଲର ଆସିଷ୍ଟାଣ୍ଟ ଭାବେ ସତ୍ୟପ୍ରକାଶ ସ୍ଵାଇଁ ଚାକିରି ଆରମ୍ଭ କରିଥିଲେ । ଗତ ଜୁନରେ ସେ କେନ୍ଦୁଝର ଜିଲ୍ଲା କାରାଗାରର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଥିଲେ ।