ଗିରଫ ହେଲେ ଏସଡିପିଓ, ଗୁଗଲ ପେ’ ଓ ଫୋନ୍ ପେ’ ରେ କରୁଥିଲେ ଟଙ୍କା ଆଦାୟ

1 min read

ଢେଙ୍କାନାଳ: ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ। ଆଉ କିଛି ସମୟ ପରେ ତାଙ୍କୁ ଢେଙ୍କାନାଳ କୋର୍ଟରେ ହାଜର କରାଯିବ। ଗୁଗଲ ପେ’ ଓ ଫୋନ୍ ପେ’ ରେ କରୁଥିଲେ ଟଙ୍କା ଆଦାୟ। ନିଜ ସ୍ତ୍ରୀ ଓ ଝିଅଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା।

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଝିଅ ଓ ସ୍ତ୍ରୀ ଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଅନଲାଇନରେ କରିଥିଲେ ବେନାମୀ କାରବାର ।

ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ଏସଡିପିଓଙ୍କ ଘରୁ ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି । ଏସଡିପିଓଙ୍କ ନାମରେ ଅଧା ଓଡ଼ିଶାରେ ଫ୍ଲାଟ, ପ୍ଲଟ ରହିଛି । ଅନୁଗୁଳ, ସମ୍ବଲପୁର, ଭୁବନେଶ୍ବର, ପୁରୀରେ ଘର ଥିବା ବେଳେ ସମ୍ବଲପୁର ସରଳକଣାରେ ମଳୟଙ୍କର ପ୍ଲଟ ରହିଛି । ଆୟ ବହିର୍ଭୁତ ସମ୍ପତ୍ତିରେ ଅୟସ କରୁଥିଲେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଏସଡିପିଓଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିଛି ଭିଜିଲାନ୍ସ ।

ଢେଙ୍କାନାଳ ସରକାରୀ କ୍ୱାର୍ଟର, ହିନ୍ଦୋଳ ସରକାରୀ କ୍ୱାର୍ଟର ସହ ଅନୁଗୁଳର ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ, ପୁରୀରେ ଥିବା ଆପାର୍ଟମେଣ୍ଟ ଓ ସମ୍ବଲପୁରର ଏକ ଫ୍ଲାଟରେ ଏକକାଳୀନ ଚଢ଼ାଉ କରିଥିଲା ଟିମ୍ । ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଟିମ୍ ହାତରେ ଲାଗିଥିବା ବେଳେ ବ୍ୟାଙ୍କ ଜମାଖାତା, ଇନସ୍ୟୁରାନ୍ସ ପେପର ଆଦିର ଯାଞ୍ଚ କରାଯାଇଛି ।

ତେବେ ହିନ୍ଦୋଳ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଟିମ୍ ପହଞ୍ଚିବା ପୂର୍ବରୁ ଏସଡିପିଓଙ୍କ ସ୍ତ୍ରୀ ବ୍ରିଫ୍‌କେସ ଓ ବ୍ୟାଗ୍‌ ଧରି ସେଠାରୁ ଫେରାର ହୋଇ ଯାଇଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ବାର୍ଟର୍ସରେ ରେଡ୍‌ ଚାଲିଥିବା ବେଳେ ମଳୟଙ୍କ ସ୍ତ୍ରୀ ରୀତା ମହାପାତ୍ରଙ୍କୁ ଧରିବାକୁ ଚେଷ୍ଟା ଚାଲିଛି । ଅନଲାଇନ ଓ UPI ଟ୍ରାନଜାକ୍ସନର ଡିଟେଲ୍ସ ପାଇଁ ଭିଜିଲାନ୍ସ ସାଇବର ସେଲ ଓ ବ୍ୟାଙ୍କିଂ କନସଲଟାଣ୍ଟ କାମ ଆରମ୍ଭ କରିଛି । ପଥର ଖଣି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ମଳୟ ଧରାପଡ଼ିଥିଲେ । ୪ଟି କ୍ରସରରୁ ୧ ଲକ୍ଷ ୨୦ ହଜାର ଆଦାୟ କରିଥିଲେ ମଳୟ । ଭିଜିଲାନ୍ସ ମଳୟଙ୍କଠାରୁ ସବୁ ଲାଞ୍ଚ ଟଙ୍କା ଜବତ କରିଛି ।