ଇସ୍ରାଏଲରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଯୁଦ୍ଧ ପ୍ରସଙ୍ଗରେ କରିବେ ଆଲୋଚନା

ନନ୍ଦିଘୋଷ ଡିଜିଟାଲ: ଇସ୍ରାଏଲ ତେଲ ଅଭିଭରେ ପହଞ୍ଚିଲେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେ କରିବେ ଆଲୋଚନା । ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକକୁ ନେଇ କୂଟନୀତି ସ୍ତରରେ ହୋଇଛି ହଲଚଲ ।

ଜୋର୍ଡାନର ଅମାନରେ ହେବାକୁ ଥିବା କେତେକ ଦେଶର ନେତାଙ୍କ ସହ ବାଇଡେନଙ୍କ ବୈଠକ ବାତିଲ ହୋଇଛି ।  ନେତାନ୍ୟାହୁଙ୍କ ଉପରେ ଯୁଦ୍ଧ ବନ୍ଦ ଲାଗି ଚାପ ପକାଇପାରନ୍ତି ବାଇଡେନ । ଇସ୍ରାଏଲ ଗସ୍ତ ପରେ ବାଇଡେନ ଜୋର୍ଡାନ ଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଏହି ଗସ୍ତ ବାତିଲ ହୋଇଛି । ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ବହୁ ଆରବ ରାଷ୍ଟ୍ର ବିରୋଧ କରିଆସୁଛନ୍ତି ।

ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟାମାନ ସଫାଦି କହିଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ବାଇଡେନଙ୍କ କଥାବାର୍ତ୍ତା ବାତିଲ ହୋଇଛି । ସେପଟେ ଲେବାନନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।