ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ କିଭକୁ ଆମେରିକା ରାଷ୍ଟ୍ରପତିଙ୍କ ସରପ୍ରାଇଜ୍ ଭିଜିଟ୍

1 min read

କିଭ: ବିଶ୍ବକୁ ସରପ୍ରାଇଜ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ରାଜଧାନୀ କିବ୍କୁ ସୁପରପାଓ୍ବାର ପ୍ରେସିଡେଣ୍ଟଙ୍କ ଅଚାନକ ଭିଜିଟ୍ । ଗସ୍ତକାଳରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବାଇଡେନ ହେଲେ କୋଳାକୋଳି । ଆସନ୍ତା ୨୪ରେ ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ବାଇଡେନଙ୍କ ଗସ୍ତକୁ ନେଇ ସସପେନ୍ସ । ଖୁବ ଶୀଘ୍ର ୟୁକ୍ରେନକୁ ଆମେରିକା ହାଇପ୍ରୋଫାଇଲ ଅସ୍ତ୍ର ଯୋଗାଇବା ଲାଗି ବାଇଡେନ ଦେଇଛନ୍ତି ପ୍ରତିଶ୍ରୁତି । ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବା ଅବସରରେ କିବରେ ଅବତରଣ କରିଥିଲେ ବାଇଡେନ । ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି- ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ।

ୟୁକ୍ରେନ ଆକ୍ରମଣ ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବିଥିଲେ ୟୁକ୍ରେନ ହେଉଛି ଏକ ଦୁର୍ବଳ ରାଷ୍ଟ୍ର ଓ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ବିଭେଦ ରହିଛି । ମାତ୍ର ଏହା ଭୁଲ ପ୍ରମାଣିତ ହୋଇଛି । ବାଇଡେନ କହିଛନ୍ତି- ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଆର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଣ ନେଇ ଘୋଷଣା କରିବେ । ୟୁକ୍ରେନକୁ ରକ୍ଷା କରିବା ଲାଗି ଆଟଲାଣ୍ଟିକରୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଯାଏ ବିଭିନ୍ନ ରାଷ୍ଟ୍ରଙ୍କୁ ଏକାଠି କରାଯାଉଛି । ପୋଲାଣ୍ଡ ଗସ୍ତରେ ଯାଇ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡାଙ୍କ ସହ ଆଲୋଚନା କରିବେ ବାଇଡେନ ।

ତେଣେ ଜେଲେନସ୍କି କହିଛନ୍ତି- ଏହି ଯୁଦ୍ଧରେ ଋଷର ବିଜୟର କୌଣସି ସମ୍ଭାବନା ନାହିଁ । ଗତବର୍ଷ ଡିସେମ୍ବରରେ ଜେଲେନସ୍କି ଆମେରିକା ଗସ୍ତରେ ଯାଇଥିବାବେଳେ ଗତ ଜାନୁଆରୀରେ କିବରେ ଜେଲେନସ୍କିଙ୍କୁ ଭେଟିଥିଲେ କିଛି ଆମେରକୀୟ ସିନେଟର । ବର୍ଷେ ଧରି ଯୁଦ୍ଧରେ ୟୁକ୍ରେନର ୬ସହର ତଥା ୧୮ପ୍ରତିଶତ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ଋଷ । ଜାପୋରିଜିଆ, ମାରିୟୁପୋଲ, ମେଲିଟୋପୋଲ, ଲୁହାନସ୍କ ଆଦି ୬ସହରକୁ କବଜା କରିଛି ଋଷ ।

ସେପଟେ ଆସନ୍ତାକାଲି ଅନୁଷ୍ଠିତ ବେଲଜିୟମ ବ୍ରସଲେସରେ ଅନୁଷ୍ଠିତ ହେବ ୟୁରୋପୀୟ ରାଷ୍ଟ୍ରସଂଘ ଓ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବୈଠକ । ପ୍ରଥମ ଥର ଲାଗି ଏହି ବୈଠକରେ ସାମିଲ ହେବ ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଏନେଇ ଇୟୁ ବୈଦେଶିକ ଓ ନିରାପତ୍ତା ନୀତି ମୁଖ୍ୟ ଯୋଶେପ ବୋରେଲ ଓ ନାଟୋ ମହାସଚିବ ଜେନସ୍ ଷ୍ଟଲଟନବର୍ଗଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କୁଲେବା । ବୈଠକରେ ଇୟୁ ଓ ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ହେବ ଆଲୋଚନା ।