ବନ୍ଧୁକ ହିଂସା ନିୟନ୍ତ୍ରଣ ବିଧେୟକରେ ବାଇଡେନଙ୍କ ସ୍ୱାକ୍ଷର

ୱାସିଂଟନ୍ : ଏକ ଐତିହାସିକ ପଦକ୍ଷେପରେ ବନ୍ଧୁକ ହିଂସା ନିୟନ୍ତ୍ରଣ ସଂପର୍କିତ ବିଧେୟକରେ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ନିକଟରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡରେ ୧୯ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ପରେ ବନ୍ଧୁକ ଆଇନ ଆହୁରି କ଼଼ଡାକଡି କରିବା ପାଇଁ ସ୍ବର ଉଠିଥିଲା । ବନ୍ଧୁକ ହିଂସା ନିୟନ୍ତ୍ରଣ ପାଇଁ ନୂଆ ବିଧେୟକ ପୂର୍ଣ୍ଣାଙ୍ଗ ନ ହେଲେ ମଧ୍ୟ ଏହା ମୂଲ୍ୟବାନ ଜୀବନ ବଂଚଇବାରେ ସହାୟକ ହୋଇପାରିବ ବୋଲି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ।

ବିଲ୍ ଶୁକ୍ରବାର ଦିନ ଆମେରିକୀୟ ପ୍ରତିନିଧି ସଭାର ଅନୁମୋଦନ ହାସଲ କରିଥିଲା । ପୂ୍ର୍ବରୁ ସିନେଟ ଏହାକୁ ମଞ୍ଜୁରୀ ଦେଇଥିଲା । ବାଇଡେନଙ୍କ ସ୍ବାକ୍ଷର ପରେ ବିଧେୟକ ଆଇନରେ ପରିଣତ ହୋଇଛି । ନୂଆ ଆଇନ କାର୍ଯ୍ୟାକାରୀ ହେବା ପରେ ଆମେରିକାରେ ଏଣିକି ବନ୍ଧୁକ କିଣୁଥିବା ଯୁବକମାନଙ୍କ ବ୍ୟାକଗ୍ରାଉଣ୍ଡ କଡାକଡି ଚେକ୍ କରାଯିବ । ଏହାଛଡା ବିଲରେ ଅନ୍ୟାନ୍ୟ କଡା ନିୟମ ମଧ୍ୟ ରହିଛି ।