ଡ୍ରୋନ୍ ଆକ୍ରମଣ ପାଇଁ କ୍ଷମା ମାଗିଲା ଆମେରିକା

ୱାସିଂଟନ: କାବୁଲରୁ ଆମେରିକୀୟ ସୈନ୍ୟ ଅପସାରଣର ଶେଷ ପର୍ଯ୍ୟାୟରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପାଇଁ ଆମେରିକା କ୍ଷମା ମାଗିଛି । ସୂଚନାଯୋଗ୍ୟ ଯେ, କାବୁଲ ବିମାନ ବନ୍ଦରରୁ ହଟିବାର ମାତ୍ର କେଇ ଦିନ ପୂର୍ବରୁ ଆମେରିକୀୟ ବାୟୁସେନା ଏକ ଗାଡି ଉପରକୁ ରକେଟ୍ ମାଡ କରିଥିଲା । ଉକ୍ତ କାରରେ ଇସଲାମିକ ଷ୍ଟେଟର ଆତଙ୍କବାଦୀ ଥିଲେ ବୋଲି ସେତେବେଳେ ଆମେରିକା ସେନା ଦାବି କରିଥିଲା । ସେହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଥିଲେ । ତେବେ ଏବେ ଆମେରିକା ଏଥିପାଇଁ କ୍ଷମା ମାଗିଛି । ଆମେରିକା କହିଛି ଯେ, ଭୂଲ ସୂଚନା କାରଣରୁ ଏହି ଆକ୍ରମଣ ହୋଇଥିଲା ।

ଭୁଲ ମାନିଲା,କ୍ଷମା ମାଗିଲା
ସିଏନଏନ୍ ରିପୋର୍ଟ ଅନୁସାରେ ପେଣ୍ଟାଗନରେ ଶୁକ୍ରବାର ଦିନ ଜେନରାଲ ମାକେନଞ୍ଜି ଆକ୍ରମଣ ପାଇଁ କ୍ଷମା ମାଗିଛନ୍ତି । ଉକ୍ତ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ୭ ଜଣ ଶିଶୁ ଥିଲେ । ସେ କହିଛନ୍ତି ଯେ,କାବୁଲ ବିମାନ ବନ୍ଦରର ସୁରକ୍ଷା ପାଇଁ ନିଯୁକ୍ତ ସୈନିକ ଓ ବାହାରେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଆକ୍ରମଣ ପାଇଁ ଆଇଏସଆଇଏସ ଆତ୍ମଘାତୀ ଆକ୍ରମଣ ଏକ କାର ଯୋଗେ ଆସୁଥିବା ସନ୍ଦେହ କାରଣରୁ ଡ୍ରୋନ୍ ଆକ୍ରମଣ ହୋଇଥିଲା । କିନ୍ତୁ ତାହା ଭୂଲ ସୂଚନା ଥିଲା । ଏହି ଆକ୍ରମଣ ପାଇଁ ମୁଁ କ୍ଷମା ମାଗୁଛି । ଭବିଷ୍ୟତରେ ଏଭଳି ଯେମିତି ନହେବ ସେଥିପାଇଁ ଆମେ ଯତ୍ନବାନ ହେବୁ ।

Leave a Reply