ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଉର୍ମିଳା

1 min read

ଶ୍ରୀନଗର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ବହୁ ସଂଖ୍ୟାରେ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ଜନତା, ବିରୋଧିଙ୍କ ସହ ସେଲିବ୍ରିଟି ବି ସାମିଲ ହେଉଛନ୍ତି । ବଲିଉଡ ଓ ଟେଲି ଜଗତର ଅନେକ ତାରକା ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜମ୍ମୁରୁ ଉଧମପୁର ଅଭିମୁଖେ ବାହାରିଛି।  ଏହି ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ହଜାର ହଜାର ସମର୍ଥକ ଓ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଯାତ୍ରା ସମୟରେ ତାଙ୍କ ସହ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର୍।  ଜାଣନ୍ତୁ ଏଯାଏଁ କେଉଁ ଗ୍ଲାମରସ୍ ଚେହେରା ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ଜାନୁଆରୀ ୫ରେ ରାହୁଲଙ୍କ ସହ କାମ୍ୟା ପଞ୍ଜାବୀ ସାମିଲ ହୋଇଥିଲେ । ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ ରାହୁଲ ଗାନ୍ଧୀ ଏକ ଧଳା ଟି-ଶର୍ଟ ଏବଂ କାମ୍ୟା ଏକ ପଞ୍ଜାବୀ ଧଳା ରଙ୍ଗର ଶୁଟରେ ନଜର ଆସିଥିଲେ। ନଭେମ୍ବର ୨ରେ ଏହି ଯାତ୍ରା ତେଲେଙ୍ଗାନାରେ ପହଞ୍ଚିଥିଲା । ଯେଉଁଠି ରାହୁଲଙ୍କ ସହ ନଜର ଆସିଥିଲେ ପୂଜା ଭଟ୍ଟ । ସେ ପାଖାପାଖି ସାଢେ ୧୦ କିମିରୁ ଅଧିକ ରାସ୍ତା ଚାଲିଥିଲେ । ଅକ୍ଟୋବରରେ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇଥିଲେ ତାମିଲ-ତେଲୁଗୁ ଫିଲ୍ମର ଅଭିନେତା ଓ ଅଭିନେତ୍ରୀ । ସାଉଥ୍ ଫିଲ୍ମର ହିରୋଇନ୍ ପୁନମ କୌର ପଦଯାତ୍ରାରେ ନଜର ଆସିଥିଲେ। ଏହି ଗ୍ଲାମରିଅସ୍ ଅଭିନେତ୍ରୀଙ୍କ ସହ ରାହୁଲଙ୍କ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା।

ହିନ୍ଦୀ ଓ ବଙ୍ଗାଳୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ମୁନମୁନ୍ ସେନଙ୍କ ଝିଅ ରିୟା ସେନ୍ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।  ନଭେମ୍ବରରେ ଏହି ଯାତ୍ରାରେ ସାମିଲ ହୋଇଥିଲେ ମଧ୍ୟ ନେଟିଜେନ୍ସ ତାଙ୍କୁ ଖୁବ୍ ଟ୍ରୋଲ୍ କରିଥିଲେ। ନଭେମ୍ବର ୧୯ରେ ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରରେ ଥିଲା । ରାହୁଲଙ୍କ ସହ ଟେଲି ଆକ୍ଟ୍ରେସ୍ ରଶ୍ମୀ ଦେଶାଇ ଓ ଆକାଂକ୍ଷା ପୁରୀ ନଜର ଆସିଥିଲେ। ତେଲେଙ୍ଗାନାରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ସାମିଲ ହୋଇଥିଲେ ଅଭିନେତ୍ରୀ ରାମ୍ୟା । ଚଳିତ ମାସ ଆରମ୍ଭରେ ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ପାଦ ମିଶାଇ ଚାଲିଥିଲେ ଅଭିନେତ୍ରୀ ରିତୁ ଶିବପୁରୀ। ଅଭିନେତ୍ରୀ ସ୍ଵରା ଭାସ୍କର ମଧ୍ୟପ୍ରଦେଶର ଉଜ୍ଜୈନରେ ରାହୁଲଙ୍କ ସହ ପଦଯାତ୍ରାରେ ଯୋଗ ଦେଇଥିଲେ।

୩୦ ଜାନୁଆରୀରେ ରାହୁଲ ଶ୍ରୀନଗରର ଦଳୀୟ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଧ୍ୱଜା ଉଡାଇବେ। ଏଥିସହିତ ସମାପନ ହେବ ଭାରତ ଯୋଡୋ ଯାତ୍ରା। ତେବେ ଏହି ଯାତ୍ରାରେ ଏ ପର୍ଯ୍ୟନ୍ତ  ଅମୋଲ ପାଲେକର, ରିୟା ସେନ, ପୂଜା ଭଟ୍ଟ, ରଶ୍ମି ଦେସାଇ, ଆକାଂକ୍ଷା ପୁରୀ ଯୋଗ ଦେଇ ସାରିଛନ୍ତି । ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା, ପୂର୍ବତନ RAW ମୁଖ୍ୟ, RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ବ୍ୟତୀତ କମଲ ହାସନ ମଧ୍ୟ ସାମିଲ ହୋଇଥିଲେ ।