ଶିକ୍ଷକ ନିଯୁକ୍ତିକୁ ନେଇ ନାଟକ କରୁଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ବର: ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ମିନିରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି । ଟୁଇଟ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏପରି ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ‘ସେ ବୋଧେ ଜାଣିନାହାନ୍ତି କିମ୍ବା ଜାଣି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା ଧର୍ମେନ୍ଦ୍ରଙ୍କ ନିଜ ସଂସ୍ଥା ଇଡିସିଆଇଏଲ ଜରିଆରେ କରାଯାଉଛି । ଯାହା ଧର୍ମେନ୍ଦ୍ରଙ୍କ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ ମିନି ରତ୍ନ ବର୍ଗରେ ଆସୁଛି । ସେ କ’ଣ କହିବାକୁ ଚାହୁଁଛନ୍ତି ଯେ, ତାଙ୍କ ନିଜସ୍ବ ସଂସ୍ଥା ଇଡିସିଆଇଏଲ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି କରିଛି ?’

ପ୍ରଣବ ପୁଣି ଦର୍ଶାଇଛନ୍ତି, ‘ଇଡିସିଆଇଏଲ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ଜବାହର ନବୋଦୟ ବିଦ୍ୟାଳୟ, ଏମସ, ଭାରତୀୟ ସେନା ଓ ଅନ୍ୟାନ୍ୟ ସଂସ୍ଥା ଲାଗି ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା କହିବାକୁ ଚାହୁଁଛନ୍ତି ?’

ଆଗକୁ କହିଛନ୍ତି, ତାଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି । ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଧର୍ମେନ୍ଦ୍ରଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି । ଲାଗୁଛି ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଧର୍ମେନ୍ଦ୍ରଙ୍କ ବଡ଼ ଭୂମିକା ରହିଛି ।