ଋଷ ଅଧିକୃତ ମେଲିଟିପୋଲ୍‌ରେ ୟୁକ୍ରେନ ଗୋଷ୍ଠୀଙ୍କ ଦ୍ୱାରା କାର୍ ବିସ୍ଫୋରଣ

ମସ୍କୋ: ଋଷ ଅଧିକୃତ ମେଲିଟିପୋଲରେ କାର୍ ବିସ୍ଫୋରଣ । ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଋଷ ବିରୋଧୀ ୟୁକ୍ରେନ ଗୋଷ୍ଠୀ ଦ୍ୱାରା ଏହି ବିସ୍ଫୋରଣ ଘଟାଯାଇଥିବା କୁହାଯାଇଛି । ବିପଜ୍ଜନକ ଅବସ୍ଥାରେ ଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣକୁ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ନିନ୍ଦା କରିଛନ୍ତି ।

ସେପଟେ ପୂର୍ବ ୟୁକ୍ରେନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ଋଷର ବୋମାମାଡ଼ରେ ପ୍ରାଣ ହରାଇଛନ୍ତି ଜଣେ ଫ୍ରେଞ୍ଚ ସାମ୍ବାଦିକ ଫ୍ରେଡରିକ ଇମୋଫ । ତାଙ୍କର ମୃତ୍ୟୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ସେ ସେଭେରୋ ଡୋନେସ୍କ ନିକଟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏକ ବସରେ ରିପୋର୍ଟିଂ କରୁଥିବା ବେଳେ, ଋଷ ବାହିନୀର ଆକ୍ରମଣରେ ପ୍ରାଣ ହରାଇଥିଲେ । ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ । ପୁଟିନଙ୍କ କର୍କଟ ରୋଗ ଗୁରୁତର ହେଲାଣି ଏବଂ ସେ ଆଉ ମାତ୍ର ୩ ବର୍ଷ ବଞ୍ଚିପାରନ୍ତି ବୋଲି ସୂଚନା ଦେଇଛନ୍ତି ଏଫଏସବିର ଜଣେ ଗୁଇନ୍ଦା ଅଧିକାରୀ । ସେ କହିଛନ୍ତି, ପୁଟିନଙ୍କ ଦୃଷ୍ଟିଶକ୍ତି କ୍ରମଶଃ ହ୍ରାସ ପାଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: ପିଲାଙ୍କ ପାଇଁ ବୁଲିବାକୁ ଯାଇଥିଲେ, ଆଉ ଫେରିବେନି ତ୍ରିପାଠୀ ପରିବାର