ଉଚ୍ଚଶିକ୍ଷାନୁଷ୍ଠାନରେ ଆଞ୍ଚଳିକ ଭାଷାରେ ହେବ ପାଠପଢା

ଭୁବନେଶ୍ୱର: ଓଡ଼ିଶାରେ ଓଡ଼ିଆ ଭାଷାରେ ପାଠପଢା। ଆନ୍ଧ୍ରପ୍ରଦେଶରେ ତେଲୁଗୁରେ ଶିକ୍ଷାଦାନ। ସବୁ ରାଜ୍ୟରେ ନିଜ ନିଜ ଭାଷାରେ କରାଯିବ ଶିକ୍ଷାଦାନ । ରାଜ୍ୟର ସବୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠପଢା ପାଇଁ ଖସଡ଼ା ପ୍ରସ୍ତୁତ କରିଛି ୟୁଜିସି। ଗଣିତ ହେଉ କି ବିଜ୍ଞାନ, ଅର୍ଥନୀତି ହେଉ କି ବାଣିଜ୍ୟ, ପାଠପଢାର ମାଧ୍ୟମ ରହିବ ଆଞ୍ଚଳିକ ଭାଷା। ଏପରିକି ଅନେକ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ବୁଝିବାରେ ଅସୁବିଧା ହେଉଛି। ସେମାନଙ୍କୁ ବି ସରଳ ଆଞ୍ଚଳିକ ଭାଷାରେ ପଢାଯିବ।

ଭାରତୀୟ ଭାଷା ଗୁଡ଼ିକର ଶକ୍ତି ଓ ବ୍ୟବହାର ବୃଦ୍ଧି ସହ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଗ୍ରସ ଏନରୋଲମେଣ୍ଟ ରେସିଓରେ ଉନ୍ନତି ଆଣିବା ଲକ୍ଷ୍ୟରେ ୟୁଜିସି ଏହି ନିୟମ ଆଣିବାକୁ ଯାଉଛି। ଏ ଦିଗରେ ଅଥେନଟିକ୍ ଟର୍ମିନୋଲୋଜି, ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ୍, ମେସିନ ଅନୁବାଦ, ଟେକ୍ସଟ ଏଡିଟିଂ, ବହୁଭାଷା ଶିକ୍ଷାଦାନ ପରି ସମସ୍ୟା ରହିଛି। ଏହାକୁ ଦୂର କରିବାକୁ ୟୁଜିସି ଓ ଭାରତ ଭାଷା ସମିତି ଆସନ୍ତା ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ଦୁଇ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ କରିବେ। ଏଥିପାଇଁ ପ୍ରାଧ୍ୟାପକ ବା ସହକାରୀ ପ୍ରାଧ୍ୟାପକ ଶ୍ରେଣୀୟ ଦୁଇ ଜଣ ବରିଷ୍ଠ ଶିକ୍ଷାବିତଙ୍କୁ ମାଷ୍ଟର ଟ୍ରେନର କରିବାକୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ୩୧ ଜାନୁଆରୀ ଭିତରେ ନାଁ ମାଗିଛି ୟୁଜିସି। ସେମାନଙ୍କ ମଧ୍ୟରୁ ଜଣେ ବିଜ୍ଞାନ ଓ ଅନ୍ୟ ଜଣେ ବାଣିଜ୍ୟ କି ସାମାଜିକ ବିଜ୍ଞାନ ବିଭାଗ ହୋଇଥିବା ଚିଠି କରିଛି।

ଟ୍ରେନିଂ ପାଇଁ ଯାଉଥିବା ଶିକ୍ଷାବିତମାନଙ୍କ ଯାତାୟାତ ଓ ଦୈନିକ ଖର୍ଚ୍ଚ ବହନ କରିବ ସଂପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନ। ରହିବା, ଖାଇବା ଓ ଉପକରଣ ଖର୍ଚ୍ଚ ଗୁଡ଼ିକ ଭାରତ ଭାଷା ସମିତି ସହାୟତାରେ ଟ୍ରେନିଂ ସେଣ୍ଟର ଭାବେ ବଛା ଯାଇଥିବା ଉଚ୍ଚଶିକ୍ଷାନୁଷ୍ଠାନ ବହନ କରିବ। ଟ୍ରେନିଂ ପରେ ମାଷ୍ଟର ଟ୍ରେନର ଆଖ୍ୟା ପାଇ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ କଣ୍ଟେଣ୍ଟ ଲେଖା ଓ ପାଠପଢାରେ ଦିଗଦର୍ଶନ ଦେବେ। ଏହା ସାରା ଦେଶରେ ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖା ପାଇଁ କ୍ୟାଟାଲିଷ୍ଟ ଭାବେ କାମରେ ଆସିବ।