ଉଦ୍ଧବ ଠାକ୍‌ରେଙ୍କ ବିସ୍ଫୋରକ ବୟାନ: କହିଲେ, ବିଜେପି ସହ ୨୫ ବର୍ଷ ମେଣ୍ଟ କରି ବରବାଦ ହୋଇଗଲା

1 min read

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିସ୍ଫୋରକ ବୟାନ । ବିଜେପି ସହ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା । ଶିବସେନା ସୁପ୍ରିମୋଙ୍କ ଏହି ବୟାନ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ସେ କହିଛନ୍ତି ବିଜେପି ନିଜର ସ୍ୱାର୍ଥ ପୂରଣ ଲାଗି ହିନ୍ଦୁତ୍ୱକୁ ବ୍ୟବହାର କରିବାରେ ଲାଗିଛି । ଏଣିକି ଶିବସେନା ରାଜ୍ୟ ବାହାରକୁ ପାଦ କାଢ଼ିବ ଏବଂ ଅନ୍ୟ ରାଜ୍ୟରେ ଯେପରି ଦଳକୁ ଗଠନ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏରେ ରହି ଅକାଳୀ ଦଳକୁ ବିଜେପି ନାଶ୍ କରିଦେଇଛି । ତେବେ ସେହି ଜାଲରୁ ଶିବସେନା ମୁକୁଳି ଆସିବାକୁ ସକ୍ଷମ ହୋଇଛି । ଦଳର ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ୯୬ତମ ଜୟନ୍ତୀ ଅବସରରେ ଉଦ୍ଧବଙ୍କ ଏହି ବିବୃତି ଜାତୀୟ ରାଜନୀତି ଲାଗି ଭିନ୍ନ ସୂଚନା ଦେଇଛି । ବିଜେପିର ହିନ୍ଦୁତ୍ୱବାଦୀ ରାଜନୀତି କେବଳ କ୍ଷମତା ଲାଗି ଉଦ୍ଦିଷ୍ଟ ବୋଲି ଉଦ୍ଧବ କହିଛନ୍ତି । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ପରେ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି ଶିବସେନା । ସେ କହିଛନ୍ତି ମହାରାଷ୍ଟ୍ରରେ ଶିବସେନାକୁ ବିଜେପି ଧୋକା ଦେଇଛି । ନିଜ ରାଜ୍ୟରେ ଶିବସେନାକୁ ଧ୍ବଂସ କରିବା ଲାଗି ବିଜେପି ଯୋଜନା କରିଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ୨୦୧୯ ତ୍ରିଦଳୀୟ ମେଣ୍ଟ ଯଥାର୍ଥ ଥିଲା ବୋଲି ଯୁକ୍ତି ଦର୍ଶାଇଛନ୍ତି । ବିଜେପିର ସ୍ୱାର୍ଥବାଦୀ ଭୂମିକାକୁ ଶିବସେନା ନେତା ସଞ୍ଜୟ ରାଓ୍ୱତ ସମାଲୋଚନା କରିଥିବାବେଳେ ଶିବସେନା ଉପରେ ଦୋଷ ଲଦିଛି ବିଜେପି ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନ ନୁହଁ କରୋନାର ଶେଷ ଭାରିଆଣ୍ଟ, ଆଗକୁ ଆହୁରି ଆସିପାରେ : WHO

Leave a Reply